ଆମେରିକାରେ ଭୀଷଣ ଘୂର୍ଣ୍ଣିଝଡ଼; ୪ ରାଜ୍ୟରେ ୨୨ ମୃତ, ଭାଙ୍ଗିଲା ଶତାଧିକ ଘର

Published By : Prameya-News7 Bureau | May 28, 2024 IST

ନୂଆଦିଲ୍ଲୀ: ଆମେରିକାରେ ପ୍ରକୃତିର କୋପ । ଦକ୍ଷିଣ ସମତଳ ଅଞ୍ଚଳରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ । ଟେକ୍ସାସ, ଓକଲାହୋମା, ଆର୍କାନସସ୍‌, ଇଲିନୟ,  ମିସୋରୀ, ଟେନିସି ଓ କେଣ୍ଟକୀ ପ୍ରଦେଶରେ ଭୀଷଣ ଘୂର୍ଣ୍ଣିଝଡ଼ ଛାରଖାର କରିଛି । ପ୍ରବଳ ପବନ, ବର୍ଷା ଓ କୁଆପଥର ମାଡ଼ରେ ୨୨ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଶତାଧିକ ଲୋକ ଆହତ ହୋଇଛନ୍ତି । ଏହି ଭୀଷଣ ଘୂର୍ଣ୍ଣିଝଡ଼ରେ ୧୦ କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ୨୦୦ରୁ ଅଧିକ ଘର ଭାଙ୍ଗି ଯାଇଥିଲା ବେଳେ ବିଦ୍ୟୁତ୍ ସଂଯୋଗ ଓ ଗ୍ୟାସ୍‌ ଲାଇନ କ୍ଷତିଗ୍ରସ୍ତ ହୋଇଛି ।  କେତେକ ଇନ୍ଧନ ଷ୍ଟେସନ ମଧ୍ୟ ବ୍ୟାପକ ଭାବେ ନଷ୍ଟ ହୋଇଯାଇଛି । 

ଇଲିନୟ, କେଣ୍ଟକୀ, ମିସୋରୀ  ଓ ଟେନିସି ସହର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ।  ଏଠାରେ ବେସ୍‌ ବଲ୍‌ ଆକାରରେ କୁଆପଥର ମାଡ଼ ହୋଇଥିଲା । ଘଣ୍ଟା ପ୍ରତି ୧୩୫ ରୁ ୧୬୫  କିମି. ବେଗରେ ପବନ ବହିଥିଲା । ଯାହାଫଳରେ  ବ୍ୟାପକ କ୍ଷୟକ୍ଷତି ଘଟିଛି । ଲୋକମାନେ ଭୟଭୀତ  ଅବସ୍ଥାରେ ରହିଛନ୍ତି । ଘଟଣା ସମ୍ପର୍କରେ ପଚାରି ବୁଜିଛନ୍ତି ରାଷ୍ଟ୍ରପତି  ଜୋ ବାଇଡେନ । ପରିସ୍ଥିତି ଉପରେ ନଜର ରଖିବା ସହ ରିଲିଫ ଓ   ଉଦ୍ଧାରକାରୀ ଦଳକୁ ପ୍ରଭାବିତ ଅଞ୍ଚଳକୁ ପଠାଇଛନ୍ତି ।

କେଣ୍ଟକୀ ପ୍ରଦେଶର ଗଭର୍ଣ୍ଣର ଏଣ୍ଡି ବେଶିୟର ସୋମବାର ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ସୋମବାର ଝଡ଼ ତୁଫାନ ନେଇ ଆମେରିକାର ଜାତୀୟ ପାଣିପାଗ କେନ୍ଦ୍ର ସତର୍କ ଚେତାବନୀ ଦେଇଥିଲା । ଆଟଲାଣ୍ଟା କ୍ଷେତ୍ର ଏବଂ ଜର୍ଜିଆର ଅନ୍ୟ ଅଞ୍ଚଳରେ ଏବଂ ଦଣିକକ୍ଷ-ପଶ୍ଚିମ କ୍ଷେତ୍ରରେ ଭୀଷଣ ଘୂର୍ଣ୍ଣିଝଡ଼ ଆସିଥିଲା । ଗଭର୍ଣ୍ଣର ଏଣ୍ଡି ବେଶିୟର ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, କେଣ୍ଟକୀ ପ୍ରଦେଶବାସୀଙ୍କ ପାଇଁ ଗୋଟିଏ ରାତି କଠନ ଥିଲା । ଏହି ବିନାଶକାରୀ ଝଡ଼ତୁଫାନ ପୂରା ରାଜ୍ୟକୁ ପ୍ରଭାବିତ କରିଛି । ପ୍ରାଶାସନିକ ଅଧିକାରୀଙ୍କ କହିବା ଅନୁଯାୟୀ, ଘୂର୍ଣ୍ଣଝଡ଼ ଶହେରୁ ଅଧିକ ଜାତୀୟ ରାଜପଥକୁ ନଷ୍ଟ କରିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.