ନୂଆଦିଲ୍ଲୀ: ଭାରତ-ନେପାଳ ବର୍ଡରରେ ଉତ୍ତେଜନା। ନେପାଳୀ ଯୁବକଙ୍କ ପଥରମାଡ଼ ଘଟଣାକୁ ନେଇ ଲାଠି ଚାର୍ଜରେ ଅନେକ ଯୁବକ ଆହତ ହୋଇଛନ୍ତି। ଉତ୍ତରାଖଣ୍ଡର କାଳୀ ନଦୀ ପାଖରେ ବନ୍ଧ ତିଆରି କରୁଥିବା ବେଳେ ଭାରତୀୟ ଲୋକଙ୍କ ଉପରେ ପଥର ମାଡ଼ କରିଥିଲେ ନେପାଳ ଯୁବକ। ଯାହାକୁ ନେଇ ହିଂସା ହୋଇଥିଲା। ଘଟଣା ସ୍ଥଳରେ ଏସ୍ଏସ୍ବି ଫୋର୍ସ ଓ ନପାଳୀ ଯବାନ ପହଞ୍ଚିବା ପରେ ବି ନେପାଳୀ ଯୁବକମାନେ ବର୍ଡରରେ ଥିବା ଝୁଲା ପୋଲରେ ତାଲା ପକାଇ ଦେଇଥିଲେ।
ରବିବାର ଧାରାଚୁଲାରେ କାଳୀନଦୀ କୂଳ ନିକଟ ଭାରତ ପଟରେ ଥିବା ଘଟଖୋଲା ଓ ଷ୍ଟାଡିୟମ୍ରେ ବନ୍ଧ ନିର୍ମାଣ କରୁଥିବା ଦିନ ୨ଟାରେ ଭାରତୀୟ ଶ୍ରମିଙ୍କ ଉପରେ ହଠାତ୍ ପଥର ମାଡ଼ ହୋଇଥିଲା। ପଥର ମାଡ଼ରେ ଜୟ ସିଂହ ନାମକ ଜଣେ ଶ୍ରମିକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପଥରମାଡ଼ ହେବା ଘଟଣା ପରେ ଖବର ପାଇ ନେପାଳି ପୁଲିସ ଓ ଭାରତୀୟ ଯବାନମାନେ ପହଞ୍ଚି ସ୍ଥିତି ଶାନ୍ତ କରିବାକୁ ଚେଷ୍ଟା କରିଥିଲେ।
ପରେ ଅପରାହ୍ନ ୪ଟା ବେଳେ ନେପାଳ ପକ୍ଷରୁ ଦୁଇ ଦେଶକୁ ଯୋଡ଼ୁଥିବା ଝୁଲାପୋଲରେ ତାଲା ପକାଇ ଦେଇଥିଲେ। ଫଳରେ ଦୁଇ ଦେଶରେ ଲୋକ ପୋଲରେ ଫସିଯାଇଥିଲେ। ହଙ୍ଗାମା ହେବା ପରେ ନେପାଳି ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। ଏଥିରେ ଭାରତର ଜଣେ ପଶୁ ଚିକିତ୍ସକ ଆହତ ହୋଇଛନ୍ତି।
ଏହାପରେ ନେପାଳ ପ୍ରଶାସନ ଭାରତୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ସନ୍ଧ୍ୟା ୬ ଟା ବେଳେ ଝୁଲାପୋଲ ଖୋଲି ଦେଇଥିଲେ। ତେବେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ନେପାଳ ସିଡିଓ ଦୀର୍ଘରାଜ ଉପାଧ୍ୟୟ କହିଛନ୍ତି ମାମଲାର ନିରପେକ୍ଷ ତଦନ୍ତ ହେବ।