ଦର୍ପଣଗଡକୁ ଫେରିଲା ଅଧିଷ୍ଠାତ୍ରୀ ଦେବୀ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ମୂର୍ତ୍ତି, ଶେଷରେ ନିଜ ସ୍ଥାନରେ ପୂଜା ପାଇଲେ ମା'

Published By : Prameya-News7 Bureau | November 11, 2023 IST

ଯାଜପୁର ୧୧।୧୧: ଯାଜପୁର ଜିଲ୍ଲା ବଡ଼ଚଣା ଦର୍ପଣଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ଦୁର୍ଲଭ ଅଷ୍ଟଧାତୁ ମୂର୍ତ୍ତି ଶୁକ୍ରବାର ଗାଁକୁ ଫେରିଛି । ବିରାଟ ପଟୁଆରରେ ମା’ଙ୍କୁ ଅଞ୍ଚଳବାସୀ ସ୍ୱାଗତ କରିବା ସହ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ଶନିବାର ମା’ଙ୍କର ମନ୍ଦିର ପ୍ରବେଶ ସହ ପ୍ରତିଷ୍ଠା ଉତ୍ସବ । ଏନେଇ ମନ୍ଦିର ପରିବେଶ ଉତ୍ସବ ମୁଖର । ବ୍ରାହ୍ମଣ ପଣ୍ଡିତଙ୍କ ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ହୋଇଉଠିଛି ସମ୍ପୂର୍ଣ୍ଣ ପରିବେଶ । ୧୦୮ ଗରା ସୁବାସିତ ଜଳରେ ମା’ଙ୍କ ମହାସ୍ନାନ, ସୂର୍ଯ୍ୟପୂଜା, ଷୋଡ଼ଶ ଉପଚାର ପୂଜା, ଚଣ୍ଡୀ ପାଠ, ବିଶେଷ ପ୍ରତିଷ୍ଠା କର୍ମ ଆଦି କାର୍ଯ୍ୟକ୍ରମ କରାଯାଇଛି ।

ସୂଚନାଯୋଗ୍ୟ ଯେ, ୨୦୨୧ ଜାନୁଆରୀ ୧୧ ତାରିଖରେ ଦର୍ପଣଗଡ଼ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ମୂର୍ତ୍ତି ମନ୍ଦିରରୁ ଚୋରି ହୋଇଥିଲା । ଗତବର୍ଷ ଦିଲ୍ଲୀ ବିମାନବନ୍ଦରରେ ଏକ ଅଷ୍ଟଧାତୁ ପ୍ରତିମା ଚୋରା ଚାଲାଣ ବେଳେ ଠାବ ହୋଇଥିଲା । ସେହି ମୂର୍ତ୍ତିଟି ଦର୍ପଣଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ବୋଲି ଜଣାପଡିଥିଲା । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବହୁ ଉଦ୍ୟମ ପରେ ମନ୍ଦିରକୁ ଫେରିଛି ଏହି ଦୁଲର୍ଭ ମୂର୍ତ୍ତି । ମୂର୍ତ୍ତିକୁ ଫେରାଇବା ପାଇଁ ଦିଲ୍ଲୀ କଷ୍ଟମ ବିଭାଗକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିର୍ଦ୍ଦେଶ ଦେଇଥିଲେ । ଶୁକ୍ରବାର ମୂର୍ତ୍ତି ଗାଁକୁ ଫେରିବା ପରେ ଦର୍ପଣଗଡ଼ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିଲା ।

ଅନ୍ୟପଟେ ଶନିବାର ପ୍ରଥମେ ସୂର୍ଯ୍ୟ ପୂଜା କରିବା ପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ମଣ୍ଡପରେ ମା'ଙ୍କୁ  ମହାସ୍ନାନ କରାଯାଇଥିଲା । ପରେ ପରେ ଷୋଡ଼ଶ ଉପଚାର ପୂଜା, ଚଣ୍ଡୀ ପାଠ, ବିଶେଷ ପ୍ରତିଷ୍ଠା ଆଦି କର୍ମ ଆଦି କାର୍ଯ୍ୟକ୍ରମ କରାଯାଇଛି । ପରେ ମା'ଙ୍କୁ ତାଙ୍କ ନିଜ ଆସ୍ଥାନକୁ ନିଆଯାଇଥିଲା । ନାମ ସଙ୍କୀର୍ତ୍ତନରେ ପରିବେଶ ପ୍ରକମ୍ପିତ ହୋଇଉଠିଥିଲା । ତେବେ ମା'ଙ୍କୁ ମନ୍ଦିରରେ ଦେଖି ଭାବ ବିହ୍ବଳ ହୋଇପଡିଥିଲେ ଗ୍ରାମବାସୀ ।

ମା'ଙ୍କ ମୂର୍ତ୍ତିକୁ ନେଇ ଏବେ ଦର୍ପଣଗଡ ବେଶ୍ ଗର୍ବିତ । ଆଜି ମା' ତାଙ୍କ ନିକଟକୁ ଫେରି ଆସିଛନ୍ତି । ମା'ଙ୍କୁ ଦର୍ଶନ କରିବା ପାଇଁ ଶହ ଶହ ଶ୍ରଦ୍ଧାଳୁ ଧାଇଁ ଆସିଛନ୍ତି ଦର୍ପଣ ଗଡ଼କୁ । ଅନ୍ୟପଟେ ଆଗାମୀ ଦିନରେ ମା'ଙ୍କ ମୂର୍ତ୍ତି ମନ୍ଦିରରୁ କିପରି ଚୋରି ନହେବ କି ଅସୁବିଧା ନହେବ ସେଥିପାଇଁ ମନ୍ଦିରରେ ସିସିଟିଭି କ୍ୟାମେରା ଲଗାଯିବା ସହ ସତର୍କ ରହିବା ଏବଂ ଜଗୁଆଳୀ ରହିବାର ମଧ୍ୟ ବ୍ୟବସ୍ଥା ରହିବ ବୋଲି ବଡଚଣା ବିଧାୟକ ଅମର ଶତପଥୀ କହିଛନ୍ତି । ମା'ଙ୍କୁ ଫେରି ପାଇବା ପରେ ଉତ୍ସବମୁଖର ହୋଇ ଉଠିଛି ଦର୍ପଣଗଡ । ଶେଷରେ ମା' ନିଜ ସ୍ଥାନରେ ପୂଜା ପାଇବା ପରେ ଗ୍ରାମବାସୀ ଉତ୍ସାହିତ ।

You Can Read :

wp:embed {"url":"https://www.prameyanews7.com/union-minister-dharmedra-pradhan-write-letter-to-minister-of-road-transport-and-highways/","type":"wp-embed","providerNameSlug":"prameya-news-7"}
https://www.prameyanews7.com/union-minister-dharmedra-pradhan-write-letter-to-minister-of-road-transport-and-highways/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.