ଲଗାତାର ଦ୍ୱିତୀୟ ଦିନରେ ସେୟାର ବଜାରରେ ହ୍ରାସ, ତଥାପି ନିବେଶକଙ୍କ ସମ୍ପତ୍ତିରେ ୩୨ ହଜାର କୋଟି ବୃଦ୍ଧି

Published By : Prameya-News7 Bureau | January 05, 2023 IST

ନୂଆଦିଲ୍ଲୀ: ନୂଆବର୍ଷର ପ୍ରଥମ କାରବାର ସପ୍ତାହରେ ସେୟାର ବଜାରରେ ବିକ୍ରି ଜାରି ରହିଛି । ଗୁରୁବାର ଲଗାତାର ଦ୍ୱିତୀୟ କାରବାର ଦିନରେ ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳୁଛି । ତେବେ ବ୍ରଡର ମାର୍କେଟରେ ବୃଦ୍ଧି ଜାରି ରହିଛି ଏବଂ ମିଡକ୍ୟାପ ଏବଂ ସ୍ମଲକ୍ୟାପ ସହ ବିଏସଇର ଅଧିକାଂଶ ସୂଚକାଙ୍କ ବୃଦ୍ଧି ସହ ବନ୍ଦ ହୋଇଛି । ଏହି କାରଣରୁ ବଜାରରେ ହ୍ରାସ ସତ୍ତ୍ୱେ ସେୟାର ବଜାର ନିବେଶକଙ୍କ ସମ୍ପତ୍ତିରେ ଆଜି ପ୍ରାୟ ୩୨ ହଜାର କୋଟି ଟଙ୍କାର ବୃଦ୍ଧି ଘଟିଛି । ବିଏସଇର ସେନସେକ୍ସରେ ଆଜି ୩୦୪.୧୮ ଅଙ୍କ ପ୍ରାୟ ୦.୫୦ ପ୍ରତିଶତ ତଳକୁ ଖସି ୬୦,୩୫୩.୨୭ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟୀ ୪୨.୭୫ ଅଙ୍କ ପ୍ରାୟ ୦.୨୪ ପ୍ରତିଶତ ହ୍ରାସ ହୋଇ ୧୮,୦୦୦.୨୦ ସ୍ତରରେ ବନ୍ଦ ହୋଇଛି ।

ବିଏସଇ ମିଡକ୍ୟାପ୍ ଏବଂ ସ୍ମଲକ୍ୟାପ୍ ସୂଚକାଙ୍କ ଆଜି ଯଥାକ୍ରମେ ୦.୩୩ ପ୍ରତିଶତ ଏବଂ ୦.୦୧ ପ୍ରତିଶତ ବୃଦ୍ଧି ସହ ବନ୍ଦ ହୋଇଛି । ସେକ୍ଟୋରଲ ସୂଚକାଙ୍କ ମଧ୍ୟରେ ଅୟଲ ଆଣ୍ଡ ଗ୍ୟାସ ଇଣ୍ଡେକ୍ସରେ ଆଜି ସବୁଠୁ ଅଧିକ ୧.୬୦ ବୃଦ୍ଧି ଦେଖିବାକୁ ମିଳିଛି । ସେହିପରି ଅଟୋ, ମେଟଲ, ଏନର୍ଜୀ ଏବଂ ଏଫଏମସିଜି ସେକ୍ଟରର ସୂଚକାଙ୍କ ମଧ୍ୟ ୧ ପ୍ରତିଶତରୁ ଅଧକ ବୃଦ୍ଧି ସହ ବନ୍ଦ ହୋଇଛି । ଅନ୍ୟପଟେ ଆଜି ବ୍ୟାଙ୍କିଂ, ଫାଇନାନସିଅଲ ଏବଂ ଆଇଟି ସେକ୍ଟରରେ ହ୍ରାସ ଦେଖିବାକୁ ମିଳିଛି ।

ବିଏସଇରେ ସୂଚୀବଦ୍ଧ କମ୍ପାନିର ମୋଟ ବଜାର ପୁଞ୍ଜି ଗୁରୁବାର ବଢି ୨୮୨.୦୬ ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ପୂର୍ବ କାରବାର ଦିନ ୨୮୧.୭୪ ଲକ୍ଷ କୋଟି ଟଙ୍କା ରହିଥିଲା । ଏହିପରି ବିଏସଆଇରେ ଲିଷ୍ଟେଡ୍ କମ୍ପାନିଙ୍କ ମାର୍କେଟ୍ କ୍ୟାପରେ ଆଜି ପ୍ରାୟ ୩୨ ହଜାର କୋଟି ଟଙ୍କା ବଢିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.