ଲାଇଭ୍ ଭିଡିଓରେ ଅଶାଳୀନ ବ୍ୟବହାରର ଶିକାର ହେଲେ ଦକ୍ଷିଣ କୋରିଆ ୟୁଟ୍ୟୁବର; ତଥାପି କହିଲେ- ଆଇ ଲଭ୍ ଇଣ୍ଡିଆ…
1/12/2022 at 6:13 PM

ମୁମ୍ବାଇ: ମୁମ୍ବାଇ ରାସ୍ତାରେ ୟୁଟ୍ୟୁବ୍ରେ ଲାଇଭ୍ ବେଳେ ଅଶାଳୀନ ବ୍ୟବହାରର ଶିକାର ହେଲେ ଦକ୍ଷିଣ କୋରିଆ ମହିଳା ୟୁଟ୍ୟୁବର ହ୍ୟୋଜିଓଙ୍ଗ ପର୍କ। ଇଣ୍ଟରନେଟ୍ରେ ‘ମାୟୋଚି’ ନାଁରେ ପରିଚିତ ଥିବା ପର୍କ ମୁମ୍ବାଇର ଏକ ରାସ୍ତାରେ ଲାଇବ୍ ଭିଡିଓ କରୁଥିବା ବେଳେ ଜଣେ ଯୁବକ ହଠାତ୍ ତାଙ୍କ ପାଖକୁ ଆସି ତାଙ୍କୁ ଦୁର୍ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ ତାଙ୍କ ହାତ ଧରି ବାଇକ୍ରେ ନେବାକୁ ଟାଣୁଥିଲେ।
ହେଲେ ପର୍କ ଯିବାକୁ ମନା କରିବାରୁ କ୍ୟାମେରା ସାମ୍ନାରେ ସେ ପର୍କଙ୍କୁ କିସ୍ କରିବାକୁ ଚେଷ୍ଟା କରିଥିଲେ। ହେଲେ ପର୍କ ଏହାକୁ ବିରୋଧ କରି ଖସିଆସିଥିଲେ। ଏହି ସମସ୍ତ ଦୃଶ୍ୟ ୟୁଟ୍ୟୁବରେ କଏଦ ହୋଇଥିଲା।
ଏତେ ସବୁ ଘଟଣା ପରେ ଦକ୍ଷିଣ କୋରିଆ ୟୁଟ୍ୟୁବର ଭାରତ ପ୍ରତି ତାଙ୍କର ଭଲପାଇବା ପ୍ରଦର୍ଶନ କରିଛନ୍ତି। ଟ୍ୱିଟ୍ କରି ସେ ଲେଖିଛନ୍ତି ଷ୍ଟିଲ୍ ଆଇ ଲଭ୍ ଇଣ୍ଡିଆ। ଅର୍ଥାତ୍ ତଥାପି ବି ମୁଁ ଭାରତକୁ ଭଲପାଏ।
ସେହିପରି ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପର୍କ କହିଛନ୍ତି ” ଏଭଳି ଦୁର୍ଘଟଣା ବିଶ୍ୱର ଯେ କୌଣସି ସ୍ଥାନରେ ବି ଘଟିପାରେ। ମୁଁ ଚାହୁଁନି ଲୋକେ ଭାବନ୍ତୁ ଯେ ଏହା ଭାରତ ବୋଲି ଏମିତି ଘଟିଲା। ମୋ ଯାତ୍ରା ସମୟରେ ମୁଁ ଅନେକ ସୁନ୍ଦର ଭାରତୀୟ ଲୋକଙ୍କ ସହ ମିଶିଛି। ତେବେ ଏହା କେବଳ ଏକ ଦୁର୍ଘଟଣା ମାତ୍ର।”
ସେହିପରି ଏଏନ୍ଆଇକୁ ସାକ୍ଷାତକାର ଦେଇ ପର୍କ କହିଛନ୍ତି ଯେ ମୁଁ ଜାଣେ ଏଭଳି ଘଟଣା ଆଉ କେବେ ହେବନି। ଭାରତରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେଉଛି। ଅନେକ ଲୋକ ମୋତେ ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲେ ବୋଲି ସେ କହିଛନ୍ତି।
ତେବେ ଘଟଣା ସମ୍ପର୍କରେ ବର୍ଣ୍ଣନା କରି ପର୍କ କହିଛନ୍ତି ଯେ ମୁଁ ଲାଇଭ୍ ଭିଡିଓ କଲାବେଳେ ଦୁଇଜଣ ମୋ ପାଖକୁ ଆସି ମୋତେ ହଇରାଣ କରିଥିଲେ। ମୋ ଫୋନ୍ ନମ୍ବର ମାଗିଥିଲେ। ହେଲେ ପରିସ୍ଥିତିରୁ ମୁକୁଲିବା ପାଇଁ ମୁଁ ସେମାନଙ୍କୁ ନକଲି ନମ୍ବର ଦେଇଥିଲି। ତା ପରେ ଜଣେ ଆସି ମୋ ହାତ ଧରି ଲିଫ୍ଟ ଦେବାକୁ ତା ବାଇକ୍ ପାଖକୁ ନେଇଯାଇଥିଲା। ମୁଁ ମନା କରିବାରୁ ସେ ମୋ ନିକଟତର ହୋଇ ମୋ ଗାଲକୁ ଚୁମା ଦେବାକୁ ଚେଷ୍ଟା କରିଥିଲା।
ପର୍କଙ୍କ ସହିତ ଦୁର୍ବ୍ୟବହାର କରିଥିବା ଦୁଇ ଅପରାଧି ହେଲେ ମୋବୀନ ଚାନ୍ଦ ମହମ୍ମଦ ଶୈଖ୍(୧୯) ଓ ମହମ୍ମଦ ନକୀବ ସଦ୍ରୀଆଲମ ଅନ୍ସାରୀ(୨୦) । ଦୁଇ ଜଣଙ୍କୁ ଗିରଫ କରିଛି ମୁମ୍ବାଇର ଖର ପୁଲିସ୍।