ଜମ୍ମୁ : ଜମ୍ମୁ-କାଶ୍ମୀରରେ ସେନା ଏନକାଉଣ୍ଟରରେ ପ୍ରାଣ ହରାଉଥିବା ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମିଳିବା କିଛି ନୂଆ କଥା ନୁହେଁ। ଏପରି ଅସ୍ତ୍ରଶସ୍ତ୍ରରେ ଆତଙ୍କବାଦୀଙ୍କଠାରୁ ପ୍ରାୟତଃ ଚୀନ୍ ନିର୍ମିତ ଏକେ-୪୭ ରାଇଫଳ ମିଳୁଥିବା ବେଳେ କେବେ କେବେ ଆମେରିକା ଓ ଅନ୍ୟ ଦେଶର ଅସ୍ତ୍ରଶସ୍ତ୍ର ମଧ୍ୟ ମିଳୁଛି। ତେବେ ନିକଟରେ କେରେନ ସେକ୍ଟରରେ ସେନା ସହ ସଂଘର୍ଷରେ ପ୍ରାଣ ହରାଇଥିବା ୨ ଆତଙ୍କବାଦୀଙ୍କ ନିକଟରୁ ମିଳିଥିବା ଅସ୍ତ୍ର ଏବେ ଚିନ୍ତାର କାରଣ ପାଲଟିଛି।
କେରେନ ସେକ୍ଟରରେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ନିକଟରୁ ଅଷ୍ଟ୍ରିୟା ନିର୍ମିତ ଷ୍ଟେୟର ଏୟୁଜି ବୁଲପପ୍ ଆସଲ୍ଟ ରାଇଫଲ ଜବତ ହୋଇଛି। ସେନା ସୂଚନା ଅନୁସାରେ କେରେନରେ ହୋଇଥିବା ଏନକାଉଣ୍ଟରରେ ୨ ବିଦେଶୀ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ପାଖରୁ ଗୋଟିଏ ଷ୍ଟେୟର ଏୟୁଜି ଏ-୩ ସିରିଜ ରାଇଫଲ ସମେତ ଅସ୍ତ୍ର ଓ ଗୁଳିଗୋଳା ଜବତ ହୋଇଛି। ତେବେ ଅନୁପ୍ରବେଶକାରୀ ଆତଙ୍କବାଦୀଙ୍କ ନିକଟକୁ ଷ୍ଟେୟର ଏୟୁଜି ରାଇଫଲ ପହଞ୍ଚିଲା କିପରି ସେ ନେଇ ସେନା ଚିନ୍ତାବ୍ୟକ୍ତ କରିଛି।
ଜବତ ଷ୍ଟେୟର ଏୟୁଜି ବୁଲପପ ଆସଲ୍ଟ ରାଇଫଲ ଅଷ୍ଟ୍ରିୟା ନିର୍ମାଣ କରୁଛି। ତେବେ କୌଣସି ଆତଙ୍କବାଦୀଠାରୁ କାଶ୍ମୀରରେ ଏହି ରାଇଫଲ ଜବତ ହେବାର ଏହା ପ୍ରଥମ ଘଟଣା। ଏହି ରାଇଫଲ ଚାମ୍ବରରେ ୫.୫୬x୪୫ ମିମିର କ୍ୟାଟ୍ରିଜ୍ ବ୍ୟବହାର କରାଯାଏ। ୧୯୬୦ ଦଶକରେ ଅଷ୍ଟ୍ରିୟାର ଷ୍ଟେୟର- ଡେମଲର ପୁଚ୍ ଏହି ବନ୍ଧୁକକୁ ଡିଜାଇନ କରିଥିଲେ। ଏବେ ଏହାକୁ ଷ୍ଟେୟର ଆର୍ମସ ଜିଏମବିଏଚ୍ ଆଣ୍ଡ କମ୍ପାନୀ କେଜି ଦ୍ୱାରା ଏହା ନିର୍ମିତ ହେଉଛି। ଏହି ରାଇଫଲକୁ ବିଶ୍ୱର ବଛାବଛା ଘାତକ ହତିୟାର ମଧ୍ୟରେ ଗଣା ଯାଏ। ଏଣୁ ବିଶ୍ୱର ଅନେକ ଦେଶରେ ପୋଲିସ ଓ ସେନା ଏହି ବନ୍ଧୁକ ବ୍ୟବହାର କରୁଛନ୍ତି।
ଷ୍ଟେୟାର ଏୟୁଜି ଅନେକ ଯୁଦ୍ଧରେ ମଧ୍ୟ ବ୍ୟବହାର ହୋଇଛି। ଏଥିରେ ଗତ ଉପସାଗରୀୟ ଯୁଦ୍ଧ, ସୋମାଲିଆ ଗୃହଯୁଦ୍ଧ, ୧୯୯୯ କୋସୋଭ ଯୁଦ୍ଧ, ଇରାକ ଯୁଦ୍ଧ, ସିରିୟା ସିଭିଲ ୱାରରେ ମଧ୍ୟ ଏହି ବନ୍ଧୁକ ଉପଯୋଗ ହୋଇଛି। ଏଥିରୁ ଜଣା ପଡୁଛି ସାରା ବିଶ୍ୱରେ ଏହି ବନ୍ଧୁକ କେତେ ଭରସା ଯୋଗ୍ୟ। ତେବେ ପାକିସ୍ତାନୀ ଆତଙ୍କବାଦୀଙ୍କ ହାତକୁ ଆସିଲା କିପରି ତାହା ଏବେ ଅନୁସନ୍ଧାନ ସାପେକ୍ଷ।
ଷ୍ଟେୟାର ଏୟୁଜି ରାଇଫଲର ପ୍ରଭାବୀ ଫାୟରିଂ ରେଞ୍ଜ ୩୦୦ ମିଟର। ତେବେ ଏହାର ଅଧିକତମ ମାରକ କ୍ଷମତା ୨,୭୦୦ ମିଟର। ଏଥିରେ ଥରକରେ ୨୫ରୁ ୩୨ଟି ଗୁଳି ଭର୍ତ୍ତି କରାଯାଇ ପାରିବ। ଏହା ୩୧.୧ ଇଞ୍ଚ ଲମ୍ବା ହୋଇଥିବା ବେଳେ ଏହାକୁ ବ୍ୟବହାର କରିବା ଅତି ସହଜ। ଏହାର ବ୍ୟାରଲ ୨୦ ଇଞ୍ଚ ଲମ୍ବା। ଏହାର ମୂଲ୍ୟ ୧,୭ ୦୦ ଆମେରିକୀୟ ଡଲାର ଅର୍ଥାତ ୧,୫୦,୦୦୦ ହଟାର ଟଙ୍କା ପାଖାପାଖି।