ବଡୋଦରା ୨।୧୨: ନର୍ମଦା ଜିଲ୍ଲା ପୋଲିସରେ ଷ୍ଟାଚ୍ୟୁ ଅଫ ୟୁନିଟି ଓ ତତ୍ ସମ୍ପର୍କିତ ପ୍ରକଳ୍ପରୁ ଦୈନିକ ସଂଗ୍ରହ ବାବାଦ ୫.୨୫ କୋଟି ହେରଫେର ନେଇ ଏକ ଏତଲା ରୁଜୁ ହୋଇଛି। ଏଚଡିଏଫସି ବ୍ୟାଙ୍କ ବଡୋଦରା ଶାଖା ପ୍ରବନ୍ଧକ ଏ ନେଇ ଏତଲା ଦେଇଥିବା ବେଳେ ପୋଲିସ କ୍ୟାସ୍ ମ୍ୟାନେଜମେଣ୍ଟ କମ୍ପାନୀ ରାଇଟର ବିଜନେସ୍ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡର କର୍ମଚାରୀଙ୍କୁ ହେରଫେର ଲାଗି ସନ୍ଦେହ କରୁଛି। ଏହି ବିପୁଳ ଅର୍ଥ ଅକ୍ଟୋବର ୨୦୧୮ରୁ ମାର୍ଚ୍ଚ ୨୦୨୦ ମଧ୍ୟରେ ଚୋରି କରାଯାଇଥିବାର ସନ୍ଦେହ କରଯାଉଛି।
ଅଭିଯୋଗ ପରେ କେବଡିଆ ଥାନା ପକ୍ଷରୁ ମାମଲାର ତଦନ୍ତ ଆରମ୍ଭ ହୋଇଛି। ସୋମବାର ବିଳମ୍ବିତ ରାତ୍ରିରେ ଥାନାରେ ହୋଇଥିବା ଏତଲା ଅନୁସାରେ ବ୍ୟାଙ୍କ ଡୋରଷ୍ଟେପ୍ କଲେକ୍ସନ ସୁବିଧା ପ୍ରଦାନ ନିମନ୍ତେ ରାଇଟର ବିଜନେସ୍ ନାମକ ଏକ ସଂସ୍ଥାକୁ ନିଯୁକ୍ତ କରିଥିଲା। ଏହି ସଂସ୍ଥା ନିକଟରେ କୋଭିଡ-୧୯ ଲକଡଉନ ପୂର୍ବରୁ ପର୍ଯ୍ୟଟନ ସ୍ଥଳର ବିଭିନ୍ନ ପ୍ରକଳ୍ପକୁ ପ୍ରବେଶ ନିମନ୍ତେ ଅଫଲାଇନ ଟିକେଟ୍ କାଉଣ୍ଟର ସାଙ୍ଗକୁ ନିୟମିତ ପାର୍କିଂ ଶୁଳ୍ପ ଆଦାୟ ଅଧିକାର ଥିଲା।
ଷ୍ଟାଚ୍ୟୁଅଫ ୟୁନିଟର ଜନୈକ ଅଧିକାରୀଙ୍କ ଅନୁସାରେ ଏଚଡିଏଫସି ବ୍ୟାଙ୍କ ଷ୍ଟାଚ୍ୟୁ ଅଫ ୟୁନିଟି ପ୍ରଶାସନ ଦ୍ୱାରା ଦୈନିକ ବିଭିନ୍ନ ଅଫଲାଇନ୍ ଟିକେଟ୍ କାଉଣ୍ଟର ଓ ପାର୍କିଂ ଶୁଳ୍କ ବାବଦେ ସଂଗୃହୀତ ଅର୍ଥ ଲାଗି ସେବାପ୍ରଦାନ କରୁଛନ୍ତି। ବ୍ୟାଙ୍କ ଏହାକୁ ତାଙ୍କର ବଡୋଦରା ଶାଖା ଷ୍ଟାଚ୍ୟୁ ଅଫ ୟୁନିଟି ଆକାଉଣ୍ଟରେ ଜମା କରୁଛନ୍ତି। ଏବାବଦରେ ବ୍ୟାଙ୍କ ପ୍ରାପ୍ତ ନଗଦର ରସିଦ ଷ୍ଟାଚ୍ୟୁ ଅଫ ୟୁନିଟି ପ୍ରଶାସନକୁ ପ୍ରଦାନ କରିଥାନ୍ତି। ତେବେ ବ୍ୟାଙ୍କ ଖାତାରେ ହୋଇଥିବା ନଗଦ ଜମା ଓ ପର୍ଯ୍ୟଟକଙ୍କ ଏଣ୍ଟ୍ରି ଏବେ ମେଳ ଖାଉ ନାହିଁ।
ଷ୍ଟାଚ୍ୟୁ ଅଫ ୟୁନିଟି ଏଣ୍ଟ୍ରି ମ୍ୟାଚିଂ କରିବା ବେଳେ ରାଇଟର ବିଜନେସ୍ର କର୍ମଚାରୀ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରିଥିବା ରିସପ୍ଟ ମେଳ ହୋଉ ନାହିଁ। ପ୍ରାୟ ୫.୨୫ କୋଟି ଟଙ୍କାର କୌଣସି ସନ୍ଧାନ ମିଳୁ ନାହିଁ। ଷ୍ଟାଚ୍ୟୁ ଅଫ ୟୁନିଟି କର୍ତ୍ତୃପକ୍ଷ ଏଚଡିଏଫସି ଏଜେଣ୍ଟଙ୍କୁ ଏହି ଟଙ୍କା ଦେଇଥିବା ରେକର୍ଡରେ ରହିଛି। ବାବଦରେ ବ୍ୟାଙ୍କକୁ ସୂଚିତ କରାଯିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ମାମଲାରେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି।
ନର୍ମଦା ଜିଲ୍ଲାପାଳ ଡି.ଏ. ଶାହ ଷ୍ଟାଚ୍ୟୁଅଫ ୟୁନିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଛନ୍ତି। ଜିଲ୍ଲା ପ୍ରଶାସନ ଓ ଏଚଡିଏଫଶି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ମିସାଇ ଏକ କମିଟି ମଧ୍ୟ ରହିଛି। କମିଟି ଏହି ଅର୍ଥ ବ୍ୟାଙ୍କକୁ ଦିଆଯାଇଥିବା ରେକର୍ଡରେ ଦର୍ଶାଉଛନ୍ତି। ହେଲେ ବ୍ୟାଙ୍କରେ ଏହି ଅର୍ଥ ଜମା ହୋଇ ନାହିଁ। ଅର୍ଥ ସଂଗ୍ରହ ଓ କ୍ଷେତ୍ରର ପ୍ରଶାସନ ଲାଗି ଏଚଡିଏଫସି ରାଇଟର ବିଜନେସ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି। ଏଥିରେ ଷ୍ଟାଚ୍ୟୁ ଅଫ ୟୁନିଟି କମିଟିର କୌଣସି କାର୍ଯ୍ୟ ହିଁ ନାହିଁ। ତେବେ କମିଟି ନିଜ ଆର୍କାଇଭ ଯାଞ୍ଚ କରି ସମସ୍ତ ଅର୍ଥ ବ୍ୟାଙ୍କରେ ଜମା ହୋଇଥିବା ଜାଣିବାକୁ ପାଇଛି। ଏଚଡିଏଫସି ଏହି ତମାମ ନେଣଦେଣ ଲାଗି ଦାୟି। ଏଣୁ ବ୍ୟାଙ୍କ ଏବେ ନିଜ ଏଜେଣ୍ଟଙ୍କ ସହ ବିବାଦର ସମାଧାନ କରିବା କଥା।
କେବଡିଆ ଥାନା ଉପ ଅଧିକାରୀ ବାଣୀ ଦୁଧାତ ମାମଲାର ତଦନ୍ତ ବେଳେ ଷ୍ଟାଚ୍ୟୁ ଅଫ ୟୁନିଟି ବିପୁଳ ପରିମାଣରେ ଦୈନିକ ରସିଦ ଓ ମନି ରିସପ୍ଟ ପ୍ରଦାନ କରିଥିବା କହିଛନ୍ତି। ପୋଲିସ ଏବେ ଏ ସବୁର ତଦନ୍ତ କରୁଛି। ଏ ସବୁର ଯାଞ୍ଚ ପରେ ସେ ସମୟରେ ଡ୍ୟୁଟିରେ ଥିବା ରାଇଟର କର୍ମଚାରୀଙ୍କୁ ଡକାଇ ପଚରା ଉଚରା କରିବୁ ବୋଲି କହିଛନ୍ତି।