ରାହୁଲ ଗାନ୍ଧିଙ୍କୁ ସରକାରୀ କ୍ୱାର୍ଟରରୁ ବାହାର କରିବା ଘଟଣାରେ ମୁହଁ ଖୋଲିଲେ ଖଡଗେ ଓ ଶିବଲ, ଜାଣନ୍ତୁ କହିଛନ୍ତି କ’ଣ?
28/03/2023 at 7:15 PM

ନୂଆଦିଲ୍ଲୀ ୨୮।୩: ଲୋକସଭା ହାଉସିଂ କମିଟି ରାହୁଲ ଗାନ୍ଧିଙ୍କୁ ତାଙ୍କ ସାଂସଦ କ୍ୱାର୍ଟର ଖାଲି କରିବାକୁ ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଏଥିରେ ରାଜ୍ୟସଭା ସାଂସଦ କପିଲ ଶିବଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏ ନେଇ ଶିବଲ ଟ୍ୱିଟ୍ କରିଥିବା ବେଳେ ‘ତୁଚ୍ଛ ଲୋକଙ୍କ ତୁଚ୍ଛ ରାଜନୀତି’ ବୋଲି କହିଛନ୍ତି। ସେହିପରି କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ ରାହୁଲଙ୍କୁ ଯେପରି ଡରା, ଧମକା ଯାଉଛି ଓ ଅପମାନିତ କରାଯାଉଛି ତାହା ଭୁଲ ବୋଲି କହିଛନ୍ତି।

ଲୋକସଭାରେ ଅଯୋଗ୍ୟ ସାବ୍ୟସ୍ତ ହେବା ପରେ ଲୋକସଭା ହାଉସିଂ ସୋସାଇଟି ରାହୁଲଙ୍କୁ ୩୦ ଦିନରେ ୧୨ ତୋଗଲକ ରୋଡସ୍ଥିତ ସରକାରୀ କ୍ୱାର୍ଟର ଖାଲି କରିବାକୁ ନୋଟିସ୍ ଦେଇଛି। ତେବେ କଂଗ୍ରେସ ଜାତୀୟ ସଭାପତି ଏହାକୁ ରାହୁଲଙ୍କ ପ୍ରତି ସରକାରଙ୍କ ଡରାଣ ବୋଲି କହିଛନ୍ତି। ତାଙ୍କୁ ଅପମାନ କରିବାକୁ କେନ୍ଦ୍ର ସରକାର ଯାହା ସବୁ କରୁଛନ୍ତି ତାହା ଭୁଲ ବୋଲି ଖଡଗେ କହିଛନ୍ତି। ସେ କହିଛନ୍ତି ଯେ କେବେ କେବେ ସାଂସଦ ନିର୍ବାଚିତ ହୋଇ ଆସିବାର ୩-୪ ମାସ ପରେ ଆମକୁ କ୍ୱାର୍ଟର ଆବଣ୍ଟିତ କରାଯାଇଥାଏ। ମୋତେ ୬ ମାସ ପରେ କ୍ୱାର୍ଟର ମିଳିଥିଲା। ଏହା କେବଳ ଅପମାନ କରିବା ପାଇଁ ଓ ଏହାକୁ ମୁଁ ନିନ୍ଦା କରୁଛି ବୋଲି ଖଡଗେ କହିଛନ୍ତି।
Rahul asked to vacate bungalow
— Kapil Sibal (@KapilSibal) March 28, 2023
Their conscience has gone on a vacation
Petty politics
Of petty men
ରାହୁଲଙ୍କୁ କ୍ୱାର୍ଟର ଖାଲି କରିବା ପାଇଁ ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଯାହାକୁ ନେଇ ସାଂସଦ ଶିବଲ ଟ୍ୱିଟ୍ କରିଛନ୍ତି। ସେ କହିଛନ୍ତି ଯେ ରାହୁଲଙ୍କୁ ବଙ୍ଗଳା ଖାଲିକରିବାକୁ କୁହାଯାଇଛି। ଏଥିରୁ ସରକାରଙ୍କ ଅନ୍ତରାତ୍ମା ଛୁଟିରେ ଚାଲିଯାଇଥିବାର ଜଣାପଡୁଛି। ଏହା କେବଳ ତୁଚ୍ଛ ଲୋକଙ୍କ ତୁଚ୍ଛ ରାଜନୀତି ବୋଲି ସେ ଉଲ୍ଲେଖ କରିଛନ୍ତି। ଲୋକସଭାରୁ ରାହୁଲଙ୍କ ସଦସ୍ୟତା ରଦ୍ଦ ହେବା ପରେ ସାରା ଦେଶରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।