'ଦଳ ପାଲ ପକାଇବା କାମ ଦେଲେ ବି କରିବି', ସଂସଦୀୟ ବୋର୍ଡରୁ ବାହାର ହେବା ପରେ ଶିବରାଜ ସିଂଙ୍କ ପ୍ରତିକ୍ରିୟା

Published By : Prameya-News7 Bureau | August 20, 2022 IST

ନୂଆଦିଲ୍ଲୀ: ବିଜେପିର ସଂସଦୀୟ ବୋର୍ଡରୁ ବାହାର ହେବା ପରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଶନିବାର ମଧ୍ୟ ପ୍ରଦେଶ ସିଏମ କହିଛନ୍ତି, 'ମୁଁ ହିଁ ଯୋଗ୍ୟ ବୋଲି ମୁଁ କେବେ ବି ଭାବେନି। ରାଷ୍ଟ୍ର ହିତରେ ଯଦି ଦଳ ମୋତେ ପାଲ ପକାଇବାର କାମ କରିବାକୁ ଦିଏ ତାହା ମଧ୍ୟ କରିବି'।

ସିଏମ ଚୌହ୍ୱାନ କହିଛନ୍ତି, 'ଯଦି ଦଳ ଜୈନ(ମୁଖ୍ୟମନ୍ତ୍ରୀଙ୍କ ଗାଁ)ରେ କହିବ ତେବେ ସେଠି ରହିବି । ଯଦି ଭୋପାଳରେ ରହିବାକୁ କହିବ ତେବେ ସେଠି ରହିବି। ରାଜନୀତିରେ ବ୍ୟକ୍ତିଗତ ମହତ୍ୱାକାଂକ୍ଷା ନ ରହିବା ଦରକାର'।

ଉଲ୍ଲେଖଯୋଗ୍ୟ ଯେ, ଶିବରାଜ ସିଂ ଏକ କାର୍ଯ୍ୟକ୍ରମରେ କହିଛନ୍ତି ବିଜେପି ଏକ ବିଶାଳ ପରିବାର । ଏହାର ପ୍ରବାହରେ କିଏ ଆଗକୁ ବଢେ ତ କିଏ ବାହାର ହୋଇଥାଏ । କେନ୍ଦ୍ରୀୟ ସ୍ତରରେ ଏକ ଟିମ ଥାଏ, କିଏ କେଉଁ କାମ କରିବ ସେହି ସମୟରେ ଟିମ ନିର୍ଦ୍ଧାରିତ କରିଥାଏ । ଶିବରାଜ ସିଂ କହିଛନ୍ତି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସଂସଦୀୟ ବୋର୍ଡରେ ଯେଉଁମାନଙ୍କୁ ସାମିଲ କରିଛନ୍ତି, ସେମାନେ ସମସ୍ତେ ଯୋଗ୍ୟ । ଏଥିରେ ପୂର୍ବ-ପଶ୍ଚିମ ଏବଂ ଉତ୍ତର-ଦକ୍ଷିଣକୁ ଧ୍ୟାନରେ ରଖାଯାଇଛି ।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୭ରେ ବିଜେପି ନିଜର ସଂସଦୀୟ ବୋର୍ଡର ପୁନର୍ଗଠନ କରିଥିଲା । ଏଥିରେ କିଛି ନୂଆ ଚେହେରାଙ୍କୁ ସ୍ଥାନ ଦିଆଯାଇଥିଲା । ଏଥିରୁ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କୁ ବାହାର କରାଯାଇଥିଲା। ଶିବରାଜ ସିଂ ବିଜେପିର ସବୁଠୁ ବରିଷ୍ଠ ମୁଖ୍ୟମନ୍ତ୍ରୀ। ଏହି କାରଣରୁ ସେ ଗତ ୯ ବର୍ଷ ଧରି ସଂସଦୀୟ ବୋର୍ଡର ସଦସ୍ୟ ଥିଲେ । ମଧ୍ୟ ପ୍ରଦେଶରୁ ଦଳିତ ନେତା ସତ୍ୟନାରାୟଣ ଜାଟିଆଙ୍କୁ ସ୍ଥାନ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.