ରାଜ୍ୟକୁ ଆଜିସୁଦ୍ଧା ଫେରିଲେଣି ୩୯, ୭୬୫: ଘର ବାହୁଡା ପ୍ରବାସୀଙ୍କୁ ସରକାରଙ୍କ ଚେତାବନୀ, ରାସ୍ତାରେ ଓହ୍ଲାଅନି, କ୍ୱାରେଣ୍ଟାଇନରେ ରୁହ

Published By : Prameya-News7 Bureau | May 07, 2020 IST

ଭୁବନେଶ୍ୱର, ୦୭|୦୫:  କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।ଏଥିରେ ମୁଖପାତ୍ର ସୁବ୍ରତ ବାଗଚୀ ରାଜ୍ୟରେ କରୋନା ଭାଇରସର କିପରି ମୁକାବିଲା ହେଉଛି ଓ ଅନ୍ୟ ରାଜ୍ୟକୁ ଯିବା ପାଇଁ କଣ ବ୍ୟବସ୍ଥା କରାଯାଇଛି ସେନେଇ ସୂଚନା ଦେଇଛନ୍ତି ।

ଏବେ  ଅନ୍ୟ ରାଜ୍ୟକୁ ଯିବା ଲାଗି ଇ-ପାସ ବ୍ୟବସ୍ଥା ରହିଛି । Covid19.gov.in ୱେବସାଇଟରେ ପାସ ଉପଲବ୍ ହେବ । ତେବେ ଯେଉଁ  ପ୍ରବାସୀ ଓଡିଆମାନେ ବାହାରୁ ଆସୁଛନ୍ତି, ସେମାନଙ୍କୁ ମଧ୍ୟ କିଛି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଉଛି । ସେମାନେ ରାସ୍ତାରେ ଓହ୍ଲାଇପାରିବେନି ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ନିୟମ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।

ଏହାସହ ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ଘୋଷଣା  କରାଯାଇଛି । ସେହିପରି ମୟୁରଭଞ୍ଜ, ଜଗତସିଂପୁର ଅରେଞ୍ଜ ଜୋନ୍ ଘୋଷଣା କରାଯାଇଛି ।ଏବେସୁଦ୍ଧା ରାଜ୍ୟକୁ କେତେ ପ୍ରବାସୀ ଫେରିଛନ୍ତି ସେନେଇ ସରକାର ତଥ୍ୟ ଦେଇଛନ୍ତି । ଏଯାଏଁ ରାଜ୍ୟକୁ ମୋଟ ୩୯୭୬୫ ପ୍ରବାସୀ ଓଡିଆ ଫେରିଛନ୍ତି ଓ ସେମାନଙ୍କ ପାଇଁ ୬୭୯୮ ପଞ୍ଚାୟତରେ ଅସ୍ଥାୟୀ ଡାକ୍ତରଖାନା କରାଯାଇଛି ।

ଓଡିଶାରେ କରୋନା ଟେଷ୍ଟ୍ ନେଇ ସରକାର ଗୁରୁତ୍ୱପୂର୍ଣ୍ଣ ତଥ୍ଯ ରଖିଛନ୍ତି । ଓଡ଼ିଶାରେ ଏବେ ୮ ଲାବ୍‌ରେ କୋଭିଡ ପରୀକ୍ଷା କରାୟାଉଛି ।  ରାଜ୍ୟରେ ଦୈନିକ ୩ହଜାରରୁ ଅଧିକ ପରୀକ୍ଷା କରାଯାଉଛି । ଏବେସୁଦ୍ଧା ରାଜ୍ୟରେ ୫୦ହଜାରରୁ ଅଧିକ କୋଭିଡ ପରୀକ୍ଷା ହୋଇସାରିଛି । ସେହିପରି  ଆହୁରି ୧୧ଟି ପରୀକ୍ଷାଗାର କାର୍ଯ୍ୟକ୍ଷମ କରାଯିବ ବୋଲି ସରକାର କହିଛନ୍ତି ।

ଏତତ୍ ବ୍ୟତୀତ ଅଧିକ ପରୀକ୍ଷା ହେଉଥିବା ଯୋଗୁ ଅଧିକ ପଜିଟିଭ ଚିହ୍ନଟ ହେଉଛି । ମୋଟ୍ ୩୦ଟି ଜିଲ୍ଲାରୁ ରାଜ୍ୟର ୧୮ଜିଲ୍ଲାରେ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଭାକସିନ୍ ଆସିବା ପର୍ଯ୍ୟନ୍ତ ମୁକାବିଲା ଲାଗି ୩ ଉପାୟ ରହିଛି । ମାସ୍କ ବ୍ୟବହାର, ସାମାଜିକ ଦୂରତା ରଖନ୍ତୁ, ବାରମ୍ବାର ହାତ ଧୁଅନ୍ତୁ ବୋଲି ପୁଣି ଥରେ ସରକାର ରାଜ୍ୟବାସୀଙ୍କୁ ସଚେତନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.