ଆସିଲା ରାଜ୍ୟର ବନ୍ୟା କ୍ଷୟକ୍ଷତି ରିପୋର୍ଟ; କେଉଁଠି କେତେ କ୍ଷତି ଆସିଛି ହିସାବ

Published By : Prameya-News7 Bureau | September 07, 2022 IST

ଭୁବନେଶ୍ୱର ୦୭/୦୯: ପ୍ରବଳ ବର୍ଷା ପାଇଁ ରାଜ୍ୟରେ ହୋଇଥିବା ବନ୍ୟାର କ୍ଷୟକ୍ଷତି ରିପୋର୍ଟ ଆସିଛି। ବନ୍ୟାରେ ୧୪ ହଜାର ୨୩୫ ଘର ଭାଙ୍ଗିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏଥିରେ ୧ଲକ୍ଷ ୨୬ ହଜାର ୧୬୨ ହେକ୍ଟର ଚାଷଜମି ନଷ୍ଟ ହୋଇଯାଇଛି। ଆହୁରି ମଧ୍ୟ ୨୮ ହଜାର ହେକ୍ଟର ଚାଷଜମି ନଷ୍ଟ ହୋଇଛି।

ଖବର ଅନୁସାରେ, ଗତ ଅଗଷ୍ଟ ମାସ ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ହୋଇଥିବା ବନ୍ୟା ଓ ପ୍ରବଳ ବୃଷ୍ଟିପାତ ପାଇଁ  ରାଜ୍ୟର ୨୪ଟି ଜିଲ୍ଲା ଅନୁଗୁଳ, ବରଗଡ, ବୌଦ୍ଧ, ନୟାଗଡ, ସମ୍ବଲପୁର, ସୁବର୍ଣ୍ଣପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ପୁରୀ, ଭଦ୍ରକ ବାଲେଶ୍ୱର, ଯାଜପୁର, କେଉଁଝର, ମୟୁରଭଞ୍ଜ, ବଲାଙ୍ଗିର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ନୂଆପଡା ଓ ସୁନ୍ଦରଗଡ ପ୍ରଭାବିତ ହୋଇଥିଲା। ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ ସମ୍ପୃକ୍ତ ଜିଲ୍ଲା ଓ ବିଭାଗମାନଙ୍କୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଜିଲ୍ଲାପାଳ ମାନଙ୍କଠାରୁ ମିଳିଥିବା କ୍ଷୟକ୍ଷତିର ଆକଳନର ତଥ୍ୟ ଅନୁସାରେ ୧୪,୨୩୫ଟି ଘର, ୧୨୩୬ଟି ଗାଈ ଗୁହାଳ, ୫୦୩୬ ହେକ୍ଟର ଚାଷ ଜମି ବାଲିଚର, ୧୧୨୫ଟି ଡଙ୍ଗା ଓ ଜାଲ, ୨୮. ୩୮୨ ହେକ୍ଟର ମାଛ ପୋଖରୀ ଓ ୪୮୩.୧୪୫ ହେକ୍ଟର ମାଛ ଜାଁଳ ଚାଷ କ୍ଷତିଗ୍ରସ୍ତ ହୋଇଅଛି । ୧, ୨୬, ୧୬୨ ହେକ୍ଟର ଚାଷ ଜମି ଶତକଡ଼ା ୩୩ଭାଗରୁ ଅଧିକ ଫସଲ ହାନୀ ହୋଇଅଛି।

ଜିଲ୍ଲାପାଳମାନଙ୍କର କ୍ଷୟକ୍ଷତିର ଆକଳନକୁ ଭିତ୍ତିକରି ଓ ବିପର୍ଯ୍ୟୟ ସହାୟତା ପାଣ୍ଠିର ସର୍ତ୍ତ ଓ ନିୟମାବଳୀ ଅନୁଯାୟୀ ଘର ନିର୍ମାଣ ସହାୟତା, ବାସନକୁସନ ସହାୟତା, କୃଷି ଭିତ୍ତିକ ସହାୟତା, ବାଲିଚର ସହାୟତା, ମୃତ ଗୋରୁଗାଈଙ୍କ ପାଇଁ ସହାୟତା, କ୍ଷତିଗ୍ରସ୍ତ ଡଙ୍ଗା ଓ ଜାଲ, ମାଛ ପୋଖରୀ, ମାଛ ଜାଆଁଳ ଚାଷ, ହସ୍ତତନ୍ତ ବୁଣାକାର, ହସ୍ତଶିଳ୍ପ କାରିଗର, ରେଶମ ଚାଷୀଙ୍କ ପାଇଁ ସହାୟତା ବାବଦକୁ ୧୨୮ କୋଟି ୫୮ ଲକ୍ଷ ଟଙ୍କା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମଞ୍ଜୁର କରାଯାଇଛି।

ସେହିପରି ଜଳବନ୍ଦୀ ଘେରରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ଖାଦ୍ୟ ସହାୟତା ବାବଦକୁ ବର୍ତ୍ତମାନ ସୁଦ୍ଧା  ଜିଲ୍ଲାପାଳମାନଙ୍କୁ ୯୯ କୋଟି ୯୨ ଲକ୍ଷ ୯୭ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ଜଳସମ୍ପଦ ବିଭାଗ, ପୁର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ ଓ ଶକ୍ତି ବିଭାଗ ଠାରୁ ସାଧାରଣ ସମ୍ପତ୍ତି କ୍ଷୟକ୍ଷତିର ଆକଳନ ରିପୋର୍ଟ ହସ୍ତଗତ ହୋଇଛି। ସାଧାରଣ ସମ୍ପତ୍ତି କ୍ଷୟକ୍ଷତିର ତୁରନ୍ତ ପୁନରୁଦ୍ଧାର ପାଇଁ ଜଳସମ୍ପଦ ବିଭାଗ ୫୨୭୭.୬୯ ଲକ୍ଷ ଟଙ୍କା, ପୁର୍ତ୍ତ ବିଭାଗ ୨୦୧୯ .୪୪ ଲକ୍ଷ ଟଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗ ୪୨୫୪.୭୦ ଲକ୍ଷ ଟଙ୍କା, ଗୃହ ଓ ନଗର ଉନ୍ନୟନ ବିଭାଗ ୬୦୭.୭୨ ଲକ୍ଷ ଟଙ୍କା ଓ ଶକ୍ତି ବିଭାଗ ୫୦୩.୩୮ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଜଣାଇଛନ୍ତି।

ମାତ୍ର ବିପର୍ଯ୍ୟୟ ସହାୟତା ପାଣ୍ଠିର ସର୍ତ୍ତ ଓ ନିୟମାବଳୀ ଅନୁଯାୟୀ ସାଧାରଣ ସମ୍ପତ୍ତି କ୍ଷୟକ୍ଷତିର ତୁରନ୍ତ ପୁନରୁଦ୍ଧାର ପାଇଁ ଜଳସମ୍ପଦ ବିଭାଗ ୪୩୫୩.୯୨ ଲକ୍ଷ ଟଙ୍କା, ପୁର୍ତ୍ତ ବିଭାଗ ୧୩୬୭.୨୫ ଲକ୍ଷ ଟଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗ ୨୪୧୪.୩୭ ଲକ୍ଷ ଟଙ୍କା, ଗୃହ ଓ ନଗର ଉନ୍ନୟନ ବିଭାଗ ୮୨.୪୬ ଲକ୍ଷ ଟଙ୍କା ଓ ଶକ୍ତି ବିଭାଗ ୪୯୭.୫୧ ଲକ୍ଷ ଟଙ୍କା ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ମଞ୍ଜୁର କରାଯାଇଛି। ଏଭଳି ସର୍ବମୋଟ୮୭୧୫.୫୧ ଲକ୍ଷ ଟଙ୍କା ଏହି ବିଭାଗମାନଙ୍କୁ ସାଧାରଣ ସମ୍ପତ୍ତିର ତୁରନ୍ତ ମରାମତି ଓ ପୁନରୁଦ୍ଧାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମଞ୍ଜୁର କରାଯାଇଛି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.