ଭୁବନେଶ୍ଵର: ତିନି ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ୨୦୨୦, ୨୦୨୧ ଏବଂ ୨୦୨୨ ପାଇଁ ପୁରସ୍କାର ଘୋଷଣା କରାଯାଇଛି। ୨୦୨୦ ପାଇଁ ସହିଦ ରଘୁ ସର୍ଦ୍ଦାର, ୨୦୨୧ ପାଇଁ ପ୍ରତୀକ୍ଷା ଓ ଡାଲ୍ଚିନି ଏବଂ ୨୦୨୨ ପାଇଁ ଦମନ ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଛି। ଚଳଚ୍ଚିତ୍ରରେ ଜୀବନ ବ୍ୟାପୀ ସାଧନା ପାଇଁ ୩ ଜଣଙ୍କୁ ମୋହନ ସୁନ୍ଦର ଦେବଗୋସ୍ଵାମୀ ସମ୍ମାନ ମିଳିବ। ଆଜି ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା କରିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ଜୀବନ ବ୍ୟାପୀ ସାଧନା ପାଇଁ ୩ ଜଣଙ୍କୁ ମୋହନ ସୁନ୍ଦର ଦେବଗୋସ୍ଵାମୀ ସମ୍ମାନ ମିଳିବ। ୨୦୨୦ ପାଇଁ ବିଶିଷ୍ଟ ଲେଖକ ଓ ନାଟ୍ୟକାର ଅନନ୍ତ ମହାପାତ୍ର, ୨୦୨୧ ପାଇଁ ଶ୍ରୀନିବାସ ମହାପାତ୍ର ଓ ୨୦୨୨ ପାଇଁ ହାସ୍ୟ ଅଭିନେତା ଜୟୀରାମ ସାମଲ ପାଇବେ ମୋହନ ସୁନ୍ଦର ଦେବଗୋସ୍ଵାମୀ ପୁରସ୍କାର।
ସେହିପରି ୨୦୨୦ରେ ରଘୁ ସର୍ଦ୍ଦାର ଫିଲ୍ମ ପାଇଁ ଦେବାଶିଷ ପାତ୍ର, ୨୦୨୧ରେ ଡାଲଚିନ ପାଇଁ ଅଙ୍କିତ କୁମାର ଓ ଚଳଚ୍ଚିତ୍ର ପ୍ରତୀକ୍ଷା ପାଇଁ ଦୀପନ୍ଵିତ ଦାସ ମହାପାତ୍ର ଶ୍ରେଷ୍ଠ ନାୟକ ସମ୍ମାନରେ ସମ୍ମାନିତ ହେବେ। ୨୦୨୨ ଦମନ ଫିଲ୍ମ ପାଇଁ ବାବୁସାନ ମହାନ୍ତି ଶ୍ରେଷ୍ଠ ନାୟକ ବିବେଚିତ ହୋଇଛନ୍ତି। ମୋଟ୍ ୩୩ ବର୍ଗରେ ପୁରସ୍କାର ଘୋଷଣା କରାଯାଇଛି।
ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚ୍ଚୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଜୁରି କମିଟିରେ ଗୋପାଳ ମହାପାତ୍ର, ବନଜା ମହାନ୍ତି, ଅମରେଶ ପଟ୍ଟନାୟକ, ଶେଖର ଘୋଷ ସଦସ୍ୟ ଥିଲେ। ଉପରୋକ୍ତ ପୁରସ୍କାର ରାଶି ଭାବେ ୫ ଲକ୍ଷ ଟଙ୍କା, ମାନପତ୍ର, ଟ୍ରଫି ଓ ଉପଢୌକନ ପ୍ରଦାନ କରାଯିବ। ଶେଷ ଥର ୨୦୨୨ରେ ରାଜ୍ୟର ଏହି ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଥିଲା। ପୁରସ୍କାର ରାଶି ଭାବେ ୨ ଲକ୍ଷ ଟଙ୍କା ମିଳିଥିଲା, ଯାହା ଏବେ ୫ ଲକ୍ଷକୁ ବୃଦ୍ଧି ପାଇଛି। ପ୍ରତି ବର୍ଷ ରାଜ୍ୟ ସଂସ୍କୃତି ଓ ସାହିତ୍ୟ ବିଭାଗ ତରଫରୁ ଏହି ପୁରସ୍କାର ଘୋଷଣା କରାଯାଏ।