ନୂଆବର୍ଷରେ ରାଜ୍ୟ ବିଜେପିରେ ନୂଆ ସଭାପତି ଧରିବେ ଦଳର ମଙ୍ଗ

Published By : Prameya-News7 Bureau | December 07, 2019 IST

ଭୁବନେଶ୍ୱର ୦୭।୧୨ - ନୂଆ ବର୍ଷରେ ବିଜେପିର ହେବ ନବକଳେବର । ନୂଆ ସଭାପତି ଧରିବେ ଦଳର ମଙ୍ଗ । ଏଥିପାଉଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମଣ୍ଡଳ ସଭାପତି ନିର୍ବାଚନ ସରିଛି । ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ଜିଲ୍ଲା ସଭାପତି ନିର୍ବାଚନ ସରିବା ପରେ ରାଜ୍ୟ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହେବ । ଏଥିଲାଗି ରାଜୀବ ପ୍ରତାପ ରୁଡ୍ଡି ଓ ନରେନ୍ଦ୍ର ସିଂହ ତୋମାରଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି । ସେପଟେ ରାଜ୍ୟ ସଭାପତି ରେସରେ ୫ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ନୂଆ ବର୍ଷରେ ହେବେ ନୂଆ ନେତା । ତେବେ କିଏ ଧରିବ ରାଜ୍ୟ ବିଜେପି ମଙ୍ଗ ? ସଭାପତି ରେସରେ ଉପକୂଳରୁ ଦୁଇ ନେତାଙ୍କ ନାଁ ଥିବା ବେଳେ ପଶ୍ଚିମ ଓଡିଶାରୁ ଦୁଇ ନେତାଙ୍କ ନାଁ ଚର୍ଚ୍ଚାରେ ରହିଛି। ଉପସଭାପତି ଥିବା ସମୀର ମହାନ୍ତି ଓ ସାଧାରଣ ସଂପାଦକ ଥିବା ପୃଥ୍ବୀରାଜ ହରିଚନ୍ଦନଙ୍କ ନାଁ ରେସରେ ଅଛି । ପଶ୍ଚିମ ଓଡିଶାରୁ ପୂର୍ବତନ ସଭାପତି କନକ ବର୍ଦ୍ଧନ ସିଂହ ଦେଓଙ୍କ ନାଁ ବି ଚର୍ଚ୍ଚାରେ ରହିଛି । କଲାହାଣ୍ଡି ସାଂସଦ ତଥା ଏବେର ସଭାପତି ବସନ୍ତ ପଣ୍ଡାଙ୍କୁ ଦଳ ପୁଣି ଥରେ ସଭାପତି ପଦରେ ବସାଇ ପାରେ ବୋଲି ବି କୁହାଯାଉଛି । ସେହିପରି ବିଧାୟକ  ବିଷ୍ଣୁ ସେଠୀଙ୍କ ନାଁବି ସଭାପତି ପଦ ଲାଗି ଶୁଣାଯାଉଛି । ସେପଟେ ରାଜ୍ୟ ବିଜେପିର ନିର୍ବାଚନ ତଦାରଖ କରିବାକୁ ରାଜିବ ପ୍ରତାପ ରୁଡ୍ଡୁ ଓ ନରେନ୍ଦ୍ର ସିଂହ ତୋମାରଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି । ଏହି ଦୁଇ ପର୍ଯ୍ୟବେକ୍ଷକଙ୍କ ସହ କେନ୍ଦ୍ରମନ୍ତ୍ରୀ ଓ ଦଳବରିଷ୍ଠ ନେତାଙ୍କ ସଭାପତି ଚୟନ ପ୍ରକ୍ରିୟାରେ ଭୂମିକା ରହିବ ।

ସଭ୍ୟ ସଂଗ୍ରହ ପରେ ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟର ୧୦୦୪ ମଣ୍ଡଳ ଭିତରୁ ୮ ଶହ ମଣ୍ଡଳରେ ସଭାପତି ନିର୍ବାଚନ ସରିଛି । ମିଳିଥିବା ସୂଚନା ଅନୁସାରେ ଦଳର ୩୬ ଟି ସାଙ୍ଗଠନିକ ଜିଲ୍ଲାର ସଭାପତି ନିର୍ବାଚନ ଡିସେମ୍ବର ୯,୧୦ ଏବଂ ୧୧ରେ ହେବ । ଜିଲ୍ଲା ସଭାପତି ନିର୍ବାଚନ ସରିବା ପରେ ରାଜ୍ୟ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହେବ ।

 ଡିସେମ୍ବର ଶେଷ ସପ୍ତାହ କିମ୍ବା ଜାନୁଆରୀ ପ୍ରଥମ ସପ୍ତାହରେ ସଭାପତି ନିର୍ବାଚନ ପକ୍ରିୟା ସରିବ ବୋଲି ସୂଚନା ମିଳୁଛି । ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.