ନୂଆଦିଲ୍ଳୀ, ୧୭/୦୪: ଶେଷ ମୁହୂର୍ତ୍ତରେ ଟଳିଲା ଷ୍ଟାରସିପ୍ର ଉତକ୍ଷେପଣ। ମଣିଷକୁ ମଙ୍ଗଳ ଗ୍ରହକୁ ପହଞ୍ଚାଇବା ଲକ୍ଷ୍ୟରେ ତିଆରି ହୋଇଥିବା ଶକ୍ତିଶାଳୀ ରକେଟ୍ ଷ୍ଟାର୍ସିପ୍ର ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି। ଭାରତୀୟ ସମୟ ଅନୁଯାୟୀ ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ଏହି ରକେଟ୍ର ଲଞ୍ଚ ହେବାର ଥିଲା। କିନ୍ତୁ ଶେଷ ମୁହୁର୍ତ୍ତରେ ରକେଟ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା କାରଣରୁ ଷ୍ଟାର୍ସିପ୍ର ଲଞ୍ଚକୁ ସ୍ଥଗିତ କରାଯାଇଛି। ସେପଟେ ଆଜି ଲଞ୍ଚ ହେବ ନାହିଁ ବୋଲି ଏଲନ ମସ୍କ ଟ୍ବିଟ୍ କରି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଏଲନ ମସ୍କଙ୍କ ସ୍ପେସ୍ଏକ୍ସ କମ୍ପାନୀ ଦ୍ବାରା ନିର୍ମିତ ଏହି ଷ୍ଟାର୍ସିପ୍ ରକେଟ ହେଉଛି ଦୁନିଆର ସବୁଠୁ ବଡ଼ ରକେଟ୍। ଏହା ଏତେ ବଡ଼ ରକେଟ୍ ଯେ ଏଥିରେ ୧୦୦ ଜଣ ମହାକାଚାରୀ ଯାଇପାରିବେ। ଏହାଦ୍ବାରା ଚନ୍ଦ୍ରମା ଏବଂ ମଙ୍ଗଳ ଗ୍ରହକୁ ମଣିଷଙ୍କୁ ପଠାଇବା ପାଇଁ ଲକ୍ଷ୍ୟ ରଖିଛି ସ୍ପେସ୍ଏକ୍ସ। ଏହି ରକେଟ୍ ମହାକାଶକୁ ଯାତ୍ରା କରୁଥିବା କୌଣସି ଅନ୍ୟ ରକେଟ୍ ଠାରୁ ଅଧିକ ଶକ୍ତିଶାଳୀ। ଏହା ପୂର୍ବରୁ ରବିବାର ଏଲନ ମସ୍କ୍ ଏହି ରକେଟ୍କୁ ଟେକ୍ସାସର ବୋକା-ଚିକାର ଷ୍ଟାରବେସ୍ ଫେସିଲିଟିରୁ ଲଞ୍ଚ କରାଯିବା ନେଇ ସୂଚନା ଦେଇଥିଲେ। ଏହି ରକେଟ୍ରେ ସାହାଯ୍ୟରେ ମଣିଷଙ୍କୁ ଅନ୍ୟ ଗ୍ରହଙ୍କୁ ପଠାଯାଇପାରିବ।
୨୦୨୯ ସୁଦ୍ଧା ମଣିଷଙ୍କୁ ମଙ୍ଗଳ ଗ୍ରହକୁ ପଠାଇ ଏବଂ ସେଠାରେ ଜନବସତି ବସାଇବା ନେଇ ଏଲନ ମସ୍କଙ୍କ ସ୍ବପ୍ନ ରହିଛି। ଏହି ରକେଟ୍ର ଲମ୍ବ ୩୯୫ ଫୁଟ୍ ଲମ୍ବ ରହିଛି। ନାସା ୨୦୨୫ରେ ଆର୍ଟେମିସ୍ ୩ ମିଶନ ପାଇଁ ସ୍ପେସଏକ୍ସକୁ ବାଛିଛି। ଫଳରେ ମଣିଷକୁ ଚନ୍ଦ୍ରମାକୁ ପହଞ୍ଚାଯାଇପାରିବ। ଏହି ରକେଟ୍କୁ ଏଭଳି ଭାବରେ ନିର୍ମାଣ କରାଯାଇଛି ଯାହାଦ୍ବାରା ଅନେକ ସାଟେଲାଇଟ୍ ନିଆଯାଇପାରିବ। ଏଥିରେ ବଡ଼ ଆକାରର ଟେଲିସ୍କୋପ୍ ମଧ୍ୟ ନିଆଯାଇପାରିବ।