ସିସୋଦିଆଙ୍କ ଗିରଫ ନେଇ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଷ୍ଟାଲିନ୍, ଜାଣନ୍ତୁ କହିଛନ୍ତି କ’ଣ?
8/03/2023 at 5:02 PM

ଚେନ୍ନାଇ ୮।୩: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଛନ୍ତି। ଏଥିରେ ସେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ନିସର୍ତ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି। ଷ୍ଟାଲିନ୍ ତାଙ୍କ ପତ୍ରରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସହିତ ଯାଞ୍ଚ ଏଜେନ୍ସୀମାନଙ୍କ ଦୂରୁପଯୋଗ ଭାରତରେ ଜୀବନ୍ତ ଗଣତନ୍ତ୍ରକୁ କେବେବି ମଜଭୁତ କରିପାରିବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ବ୍ୟକ୍ତିଗତ ଲାଭ ଲାଗି କେନ୍ଦ୍ର ସରକାର ଆଇନର ଉଚିତ ପ୍ରକ୍ରିୟାର ଦୁରୁପଯୋଗ କରୁଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ସିସୋଦିଆଙ୍କୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ କରାଯାଇଛି। ଆପ ନେତାଙ୍କୁ ସିବିଆଇ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛି। ସେ ଏବେ ଦିଲ୍ଲୀ ତିହାର ଜେଲରେ ବନ୍ଦୀ ଅଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସିସୋଦିଆଙ୍କୁ ମଙ୍ଗଳବାର ଜେଲରେ ପଚରା ଉଚରା କରିଥିଲା। ତେବେ କେନ୍ଦ୍ରରେ ଗତ ୯ ବର୍ଷ ହେଲା ଶାସନରେ ଥିବା ସରକାର ଏହି ସମୟରେ କେବଳ ବିରୋଧୀ ରାଜନୈତିକ ଦଳ ନେତାଙ୍କୁ ହଇରାଣ କରିବାକୁ କେନ୍ଦ୍ରୀୟ ଏଜେନ୍ସୀମାନଙ୍କୁ ଉପଯୋଗ କରୁଥିବା ଷ୍ଟାଲିନ ଅଭିଯୋଗ କରିଛନ୍ତି।
ଷ୍ଟାଲିନ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ବିଭିନ୍ନ ବିଚାରଧାରା ଓ ରାଜନୈତିକ ଦଳ ଭାରତୀୟ ଗଣତନ୍ତ୍ରର ହୃଦୟ ବୋଲି ମୋ ମତ ସହ ଆପଣ ସହମତ ହେବେ ବୋଲି ମୁଁ ଆଶା କରୁଛି ବୋଲି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ମୁଁ ଜାଣି ନିରାଶ ହେଲି ମନିଷ ସିସୋଦିଆଙ୍କୁ ମିଥ୍ୟା ଅଭିଯୋଗରେ ଫଶାଇ ଗିରଫ କରାଯାଇଛି। ତାଙ୍କୁ ଲଗାତାର ଉତ୍ପିଡ଼ୀତ କରାଯାଉଥିବା ଷ୍ଟାଲିନ କହିଛନ୍ତି।