ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା: ଶୁକ୍ରବାର ପ୍ରକାଶ ପାଇବ ରାୟ

Published By : Prameya-News7 Bureau | September 29, 2023 IST

କଟକ ୨୯/୦୯: ଆଜି ହାଇକୋର୍ଟ ଶୁଣାଇବେ ରତ୍ନଭଣ୍ଡାର ମାମଲାର ରାୟ । ଗତ ୨୬ ତାରିଖରେ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ହାଇକୋର୍ଟରେ ବିଚାରାଧୀନ ବହୁଚର୍ଚ୍ଚିତ ତଥା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇବ ।

ଶୁକ୍ରବାର ଅପରାହ୍‌ଣ ୨ଟାରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ଏବଂ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବ ସଂରକ୍ଷିତ ରାୟ ପ୍ରକାଶ କରିବେ । ତେଣୁ ରତ୍ନଭଣ୍ଡାର ଖୋଲିବ କି ନା, ଏହାର ମରାମତି ତଥା ଅଳଙ୍କାରର ଗଣନା ହେବ କି ନା ସେ ସଂପର୍କରେ ଦୀର୍ଘଦିନ ଧରି ଚାଲିଥିବା ଯୁକ୍ତି, ଆରୋପ ପ୍ରତ୍ୟାରୋପର ଶୁକ୍ରବାର ଫଇସଲା ହୋଇଯିବ ବୋଲି ଆଶା କରାଯାଉଛି ।

ଗତ ୨୬ ତାରିଖରେ ରତ୍ନଭଣ୍ଡାରର ମରାମତି ହେବ କି’ ନାହିଁ ଏବଂ ସେଥିରେ ଥିବା ଅଳଙ୍କାରର ଗଣନା କରାଯିବ କି’ ନାହିଁ ସେସବୁକୁ ନେଇ ହାଇକୋର୍ଟରେ ବିଭିନ୍ନ ପକ୍ଷଙ୍କ ପକ୍ଷରୁ ଦୃଢ଼ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଗତ ଅଗଷ୍ଟ ୪ ତାରିଖରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରତ୍ନଭଣ୍ଡାର ସଂକ୍ରାନ୍ତରେ ଯେଉଁସବୁ ନିଷ୍ପତ୍ତି ନିଆଯାଇଛି ସେ ସଂପର୍କରେ ମଧ୍ୟ ଅଦାଲତଙ୍କୁ ଅବଗତ କରାଯାଇଥିଲା ।

ଏଥିସହ ଆବେଦନକାରୀଙ୍କ ସମୀର ମହାନ୍ତିଙ୍କ ପିଟିସନ୍‌ କିପରି ଗ୍ରହଣୀୟ ନୁହେଁ ତାହା ଉପରେ ମଧ୍ୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଏହାକୁ ବିରୋଧ କରି ଆବେଦନକାରୀ ମଧ୍ୟ ରତ୍ନଭଣ୍ଡାରର କିପରି ତୁରନ୍ତ ମରାମତି କରାଯିବାର ଆବଶ୍ୟକତା ରହିଛି ସେ ନେଇ ପ୍ରତିଜବାବ ରଖିଥିଲେ । ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.