ଶ୍ରୀଲଙ୍କା ଆର୍ଥିକ ସଂକଟରେ  ରାଷ୍ଟ୍ରପତି ଦେଶ ଛାଡି ଫେରାର, ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେ

Published By : Prameya-News7 Bureau | July 09, 2022 IST

କଲମ୍ବୋ ୯। ୭: ଶ୍ରୀଲଙ୍କା ଗୁରୁତର ଆର୍ଥିକ ସଂକଟରେ ବଡ ଖବର ଆସୁଛି । ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।  ଆର୍ଥିକ ସଂକଟ ଯୋଗୁ ଦରଦାମ ବୃଦ୍ଧିରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଉତ୍ତ୍ୟକ୍ତ ଜନତା ବିଭିନ୍ନ ସ୍ଥାନରେ ଭିକ୍ଷୋଭ ସାଙ୍ଗକୁ ଜଳାପୋଡ଼ା ଚଳାଇଛନ୍ତି।  ଶନିବାର ମଧ୍ୟାହ୍ନରେ ଅଚାନକ ଶହଶହ ଲୋକ ରାଷ୍ଟ୍ରପତି ଭବନକୁ ଧସାଇ ପଶିବା ସହ ପୁରା ଅଞ୍ଚଳକୁ ନିଜ କବଜାକୁ ନେଇଯାଇଛନ୍ତି। ତେବେ ଲୋକେ ରାଷ୍ଟ୍ରପତି ଭବନକୁ ପଶିବା ପୂର୍ବରୁ ରାଷ୍ଟ୍ରପତି ଗୋଟବୟା ରାଜପକ୍ଷେ କେଉଁଆଡେ ଫେରାର ହୋଇଯାଇଛନ୍ତି।

ରାଷ୍ଟ୍ରପତିଙ୍କ ଏପରି ପଳାୟନରେ ପରିସ୍ଥିତି ଅଧିକ ଉଦବେଗଜନକ ହୋଇପଡିଥିବା ବେଳେ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେ ଜରୁରୀ ବୈଠକ ଡାକିଥିଲେ।  ବୈଠକ ପରେ ପ୍ରଧାନମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି, ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।  ପ୍ରଧାନମନ୍ତ୍ରୀ ବିକ୍ରମସିଙ୍ଘେ ଇସ୍ତଫା ଦେବା ପରେ ଏବେ ଶ୍ରୀଲଙ୍କାରେ ସର୍ବଦଳୀୟ ସରକାର ଗଠନର ବାଟ ଫିଟିଛି । ଆର୍ଥିକ ମେରୁଦଣ୍ଡ ଭୁଷୁଡି ପଡିଥିବା ଦେଶରେ  ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି ।

ଶ୍ରୀଲଙ୍କା ଇତିହାସର ସବୁଠାରୁ ଦୟନୀୟ ପରିସ୍ଥିତି ଦେଇ ଗତି କରୁଛି । କିଛିଦିନ ପୂର୍ବରୁ ମହିନ୍ଦା ରାଜପକ୍ଷେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ରନିଲ ବିକ୍ରମସିଙ୍ଘେ ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତଥାପି ସ୍ଥିତି ସୁଧୁରିନାହିଁ।  ରାଷ୍ଟ୍ରପତି ଦେଶ ଛାଡିଥିବା ବେଳେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ପରିବାର ସହ ଶ୍ରୀଲଙ୍କା ଛାଡି ଫେରାର ହୋଇଯାଇଥିବା କୁହାଯାଉଛି।

ରାଷ୍ଟ୍ରପତିଙ୍କ ପରିବାର ଦେଶରୁ ଫେରାର ହେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବନ୍ଦର ରାସ୍ତାରେ ଗୋଟାବାୟା ରାଜପକ୍ଷେ ଓ ତାଙ୍କ ପରିବାର ଦେଶ ଛାଡି ଚାଲି ଯାଉଥିବା ଭିଡିଓରେ କୁହାଯାଉଛି। ତେବେ ରାଷ୍ଟ୍ରପତି ପରିବାର ସହ କେଉଁ ଦେଶକୁ ଯାଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅନ୍ୟ ପକ୍ଷରେ ତାଙ୍କୁ ରକ୍ଷା କରିବା ପାଇଁ ଗୁପ୍ତ ସ୍ଥାନକୁ ନିଆଯାଇଥିବେ ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.