କଲୋମ୍ବୋ ୨୦।୦୭: ପ୍ରଥମ ଦିନିକିଆ ଅପେକ୍ଷା ଦ୍ଵିତୀୟ ମ୍ୟାଚ୍ରେ ବ୍ୟାଟିଂରେ ଉନ୍ନତ ପ୍ରଦର୍ଶନ କରିଛି ଶ୍ରୀଲଙ୍କା। ଚରିଥ ଅସଲଙ୍କା ଓ ଅବିଷ୍କା ଫର୍ଣ୍ଣାଡୋଙ୍କ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କା ୫୦ ଓଭରରେ ୯ ଓ୍ଵିକେଟ୍ ହରାଇ ୨୭୫ ରନ କରିଛି। ଭାରତ ସମ୍ମୁଖରେ ରହିଛି ୨୭୬ ରନର ବିଜୟ ଲକ୍ଷ୍ୟ। ଚରିଥ ଅସଲଙ୍କା ୭୦ ରନ ଓ ଅବିଷ୍କା ଫର୍ଣ୍ଣାଡୋ ୫୦ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଶେଷ ଆଡକୁ ଚରିଥ କରୁଣାରତ୍ନେ ଦ୍ରୁତ ୪୪ ରନର ଉଲ୍ଲେଖନୀୟ ଅପରାଜିତ ପାଳି ଖେଳିଛନ୍ତି। ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ଓ ଭୁବନେଶ୍ଵର କୁମାର ପ୍ରତ୍ୟୋକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଶ୍ରୀଲଙ୍କା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ଦୁଇ ଓପନର ଅବିଷ୍କା ଫର୍ଣ୍ଣାଡୋ ଓ ମିନୋଦ ଭାନୁକା ଦଳକୁ ଭଲ ଆରମ୍ଭ ଦେଇଥିଲେ। ପ୍ରଥମ ଓ୍ଵିକେଟ୍ରେ ଦୁଇ ବ୍ୟାଟସମ୍ୟାନ ୭୭ ରନ ଯୋଡିଥିଲେ। ମିନୋଦ ଭାନୁକା(୩୬)ଙ୍କୁ ଆଉଟ୍ କରି ୟୁଜବେନ୍ଦ୍ର ଚହଲ ପ୍ରଥମ ସଫଳତା ଦେଇଥିଲେ। ପୁଣି ଭାନୁକା ରାଜପକ୍ଷେ(୦)ଙ୍କୁ ଚହଲ ଆଉଟ୍ କରି ଶ୍ରୀଲଙ୍କାକୁ ଦ୍ଵିତୀୟ ଝଟକା ଦେଇଥିଲେ। ଅବିଷ୍କା ଫର୍ଣ୍ଣାଡୋ ଦିନିକିଆରେ ଚତୁର୍ଥ ଅର୍ଦ୍ଧଶତକ ହାସଲ କରି ଭୁବନେଶ୍ଵର କୁମାରଙ୍କ ଶିକାର ହୋଇଥିଲେ। ଫର୍ଣ୍ଣାଡୋ ୭୧ ବଲ୍ରୁ ୪ ଚୌକା ଓ ୧ ଛକା ସହ ୫୦ ରନ କରିଥିଲେ। ଧନଞ୍ଜୟ ଡି ସିଲଭା(୩୨) ଚହଲଙ୍କ ତୃତୀୟ ଶିକାର ହୋଇଥିଲେ। ମଧ୍ୟ କ୍ରମରେ ଚରିଥ ଅସଲଙ୍କା ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଦଳର ଇନିଂସ ସମ୍ଭାଳିଥିଲେ।
ଦାସୁନ ଶନାକା(୧୬) ଓ ଓ୍ଵାନିନ୍ଦୁ ହସରଙ୍ଗା(୮) ପାଭିଲିୟନ ଫେରିଥିଲେ। ଚରିଥ ଅସଲଙ୍କଜା ୬୫ ରନର ଉଲ୍ଲେଖନୀୟ ଇନିଂସ ଖେଳି ଆଉଟ୍ ହୋଇଛନ୍ତି। ଶେଷ ଆଡକୁ ଚମିକା କରୁଣାରତ୍ନେ ଦ୍ରୁତ ବ୍ୟାଟିଂ କରି ୩୩ ବଲ୍ରୁ ୫ ଚୌକା ସହ ୪୪ ରନର ଅପରାଜିତ ଇନିଂସ ଖେଳିବାରୁ ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୨୭୫ ରନ କରିଛି।
ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୫୦ ରନ ଦେଇ ୩ ଏବଂ ଭୁବନେଶ୍ଵର କୁମାର ୫୪ ରନ ଦେଇ ସମାନ ୩ ଓ୍ଵିକେଟ୍ ହାସଲ କରିଛନ୍ତି। ଦୀପକ ଚହରଙ୍କୁ ୨ଟି ଓ୍ଵିକେଟ୍ ମିଳିଛି।