କଲୋମ୍ବୋ ୧୮।୦୭: ଏଠାରେ ପ୍ରେମଦାସା ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯାଉଛି। ବ୍ୟାଟସମ୍ୟାନମାନଙ୍କ ମିଳିତ ପ୍ରୟାସରେ ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୨୬୨ରନ କରିଛି। ପ୍ରଥମ ଦିନିକିଆ ଜିତିବା ପାଇଁ ଭାରତ ସମ୍ମୁଖରେ ରହିଛି ୨୬୩ ରନର ବିଜୟ ଲକ୍ଷ୍ୟ। ଦଳ ପକ୍ଷରୁ ଚମିକା କରୁଣାରତ୍ନେ ସର୍ବାଧିକ ୪୩ ରନର ଅପରାଜିତ ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଅଧିନାୟକ ଦାସୁନ ଶନାଙ୍କା ୩୯ ଓ ଚରିତ ଅସଲଙ୍କା ୩୮ ରନ କରିଛନ୍ତି। ଭାରତ ପକ୍ଷରୁ ଦୀପକ ଚହର, ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ଦୁଇ ଓପନର ଅବିଷ୍କା ଫର୍ଣ୍ଣାଡୋ ଓ ମିନୋଦ ଭାନୁକା ପ୍ରଥମ ଓ୍ଵିକେଟ୍ରେ ୪୯ ରନ ଯୋଡି ଦଳକୁ ଭଲ ଆରମ୍ଭ ଦେଇଥିଲେ। ୟୁଜବେନ୍ଦ୍ର ଚହଲ ଅବିଷ୍କା ଫର୍ଣ୍ଣାଡୋ (୩୨)ଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଶ୍ରୀଲଙ୍କା ବ୍ୟାଟସମ୍ୟାନ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ ଇନିଂସ ଖେଳି ପାରିନଥିଲେ। ଭାନୁକା ରାଜପକ୍ଷେ ୨୪ ରନରେ କୁଲଦୀପ ଯାଦବଙ୍କ ବଲରେ ଆଉଟ୍ ହୋଇଥିଲେ। ବିନୋଦ ଭାନୁକା(୨୭) କୁଲଦୀପଙ୍କ ଦ୍ଵିତୀୟ ଶିକାର ହୋଇଥିଲେ।
ଧନଞ୍ଜୟ ଡି ସିଲଭା(୧୪) କୃଣାଲଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ୧୧୭ରେ ୪ ଓ୍ଵିକେଟ୍ ପରେ ମଧ୍ୟ କ୍ରମରେ ଚରିତ ଅସାଲଙ୍କା ଓ ଅଧିନାୟକ ଦାସୁନ ଶନାଙ୍କା ଇନିଂସ ସମ୍ଭାଳିଥିଲେ। ଉଭୟ ବ୍ୟାଟସମ୍ୟାନ ପଞ୍ଚମ ଓ୍ଵିକେଟ୍ରେ ୪୯ ରନ ଯୋଡି ଦଳରେ ସ୍ଥିତି ସୁଧାରିଥିଲେ। ହେଲେ ଭଲ ଆରମ୍ଭ ପାଇଥିଲେ ମଧ୍ୟ ଦୁଇ ବ୍ୟାଟସମ୍ୟାନ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ। ଦୀପକ ଚହର ଚରିଥ ଅସାଲଙ୍କା(୩୮) ଓ ଦାସୁନ ଶଲାଙ୍କା(୩୯)ଙ୍କୁ ଆଉଟ୍ କରି ଶ୍ରୀଲଙ୍କାକୁ ଝଟକା ଦେଇଥିଲେ।
ଶେଷ ଆଡକୁ ଚମିକା କରୁଣାରତ୍ନେ ସଂଘର୍ଷ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି। ସେ ଦୁଷ୍ମନ୍ତ ଚମିରାଙ୍କ ସହ ନବମ ଓ୍ଵିକେଟ୍ରେ ୪୦ ରନର ମହତ୍ଵପୂର୍ଣ୍ଣ ରନ ଯୋଡିଥିଲେ। ଫଳରେ ଶ୍ରୀଲଙ୍କା ୯ ଓ୍ଵିକେଟ୍ ହରାଇ ୨୬୨ ରନର କରିଛି। କରୁଣାରତ୍ନେ ଦ୍ରୁତ ବ୍ୟାଟିଂ କରି ୩୫ ବଲ୍ରୁ ୧ ଚୌକା ଓ ୨ ଛକା ସହ ୪୩ ରନ ଅପରାଜିତ ଇନିଂସ ଖେଳିଛନ୍ତି। ମଧ୍ୟ କ୍ରମରେ ଶ୍ରୀଲଙ୍କାର ରନ ଗତି ଉପରେ ଅଙ୍କୁଶ ଲଗାଇଥିଲେ କୃଣାଲ ପାଣ୍ଡ୍ୟା।
ଭାରତ ପକ୍ଷରୁ ଦୁଇ ବର୍ଷ ପରେ ଏକାଠି ଖେଳୁଥିବା କୁଲଚା ଯୋଡି କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଭଲ ବୋଲିଂ କରି ୨-୨ ଓ୍ଵିକେଟ୍ ନେଇଛନ୍ତି। ଦୀପକ ଚହରଙ୍କୁ ମଧ୍ୟ ୨ଟି ସଫଳତା ମିଳିଛି। ହେଲେ ଉପ ଅଧିନାୟକ ତଥା ସବୁଠୁ ଅନୁଭବୀ ବୋଲର ଭୁବନେଶ୍ଵର କୁମାର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। କୃଣାଲ ପାଣ୍ଡ୍ୟା ଶାଣିତ ବୋଲିଂ କରି ୧୦ ଓଭରରେ ମାତ୍ର ୨୬ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି। ଦୀର୍ଘ ସମୟ ପରେ ବୋଲିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଗୋଟିଏ ଓ୍ଵିକେଟ୍ ପାଇଛନ୍ତି।