ମହଙ୍ଗା ମାଡ଼ରେ ଛଟପଟ ଶ୍ରୀଲଙ୍କାବାସୀ, ଦିନକୁ ଦୁଇଓଳି ଖାଇବାକୁ ମିଳୁନି

Published By : Prameya-News7 Bureau | July 06, 2022 IST

କଲମ୍ବୋ, ୦୬/୦୭: ଅନେକ ଦିନ ହେଲା ସାଙ୍ଘାତିକ ଆର୍ଥିକ ସଂକଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଏଠାରେ ସ୍ଥିତି ବେଳକୁ ବେଳ ଅଧିକ ଖରାପ ହେଉଛି । ଦରବୃଦ୍ଧି, ବେକାରୀ ଓ ଇନ୍ଧନ ଅଭାବ ଭଳି ବିଭିନ୍ନ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଜନତା । ଦିନକୁ ଦୁଇଓଳି ଖାଦ୍ୟ ବି ଭାଗ୍ୟରେ ଜୁଟୁନାହିଁ । କିଛି ଲୋକ ନିଜ ପିଲାଙ୍କୁ ସକାଳ ଜଳଖିଆ ବି ଦେଇପାରୁ ନାହାନ୍ତି ।

ଏଭଳି ସ୍ଥିତିରେ ପିଲାମାନଙ୍କୁ ଦିନ ୧୨ଟା ଯାଏ ଶୋଇରହିବାକୁ ବାଧ୍ୟ କରୁଛନ୍ତି ପିତାମାତା । ରାଜଧାନୀ କଲମ୍ବୋରେ ଅଟୋରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରୁଥିବା ଥୁସାନ ପରେରା ୫ ସପ୍ତାହ ହେଲା ନିଜ ୩ ସନ୍ତାନଙ୍କୁ ଦୁଇଓଳି ଦୁଇମୁଠା ଖାଇବାକୁ ଦେଇପାରି ନାହାନ୍ତି । ପୂରା ପରିବାର ଏବେ ଦିନକୁ ଗୋଟିଏ ବିସ୍କୁଟ୍ ପ୍ୟାକେଟ୍ରେ ବଞ୍ଚୁଛନ୍ତି ।

ଶ୍ରୀଲଙ୍କାରେ ଗୋଟିଏ ପ୍ୟାକେଟ୍ ବିସ୍କୁଟ୍ ଦାମ ୧୩୦ ଟଙ୍କାରେ ପହଞ୍ଚିଛି । ଏ ପ୍ରସଙ୍ଗରେ ପରେରା କୁହନ୍ତି, ସକାଳର ଜଳଖିଆ ଯେମିତି ଦେବାକୁ ନ ପଡ଼େ । ସେଥିପାଇଁ ଆମେ ପିଲାମାନଙ୍କୁ ଦିନ ୧୨ଟା ଯାଏ ଶୋଇରହିବାକୁ ବାଧ୍ୟ କରୁଛୁ । ଦୁଇଦିନ ଧରି ଧାଡ଼ିରେ ଛିଡ଼ା ହେବା ପରେ ୫ ଲିଟର ପେଟ୍ରୋଲ ମିଳୁଛି । ତାହାକୁ ନେଇ ଅଟୋ ଚଳାଇ ପରିବାର ପୋଷିବାକୁ ପଡୁଛି ।

ଦିନେ ଅଟୋ ଚଳାଇଲେ ୩ ଦିନ ବସିବାକୁ ପଡୁଛି । ସେପଟେ ଜୁଲାଇ ୨୨ ପର୍ଯ୍ୟନ୍ତ ତେଲ ମିଳିବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି । ପେଟ୍ରୋଲ ଦର ଲିଟର ପିଛା ୧୦୩ ଟଙ୍କା ଥିଲା ବେଳେ କଳା ବଜାରରେ ଏହା ୫୫୦ ଟଙ୍କାରେ ବିକ୍ରି ହେଉଛି । ଶ୍ରୀଲଙ୍କାର ୨.୨ କୋଟି ଲୋକଙ୍କ ମଧ୍ୟରେ ପରେରା ଏକାକୀ ଦୁର୍ଦ୍ଦିନର ସମ୍ମୁଖୀନ ହେଉନାହାନ୍ତି । ତାଙ୍କ ଭଳି ଅନେକ ଲୋକ ଦିନକୁ ଦୁଇଓଳି ଖାଇବାକୁ ପାଉନାହାନ୍ତି ।

ପିଲାମାନେ ଅନାହାରରେ ରହି ପାଠ ପଢ଼ିବା ଭୁଲିଗଲେଣି । ଶିକ୍ଷାନୁଷ୍ଠାନ ବି ବନ୍ଦ ରହିଛି । ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ ହେଉଛି । ଭାରତ ଠାରୁ ଋଣ ଆକାରରେ ମିଳିଥିବା ୬,୦୦୦ କୋଟି ଟଙ୍କା ଶେଷ ହୋଇଗଲାଣି । ଏବେ ମଧ୍ୟପ୍ରାଚ୍ୟଠାରୁ ରୁଷ ପର୍ଯ୍ୟନ୍ତ ସହାୟତା ପାଇଁ ଅନୁରୋଧ କରିଛି ଶ୍ରୀଲଙ୍କା । ଦେଶରେ ରାସାୟନିକ ସାର ବ୍ୟାନ୍ ହେବା ପରେ ଖାଦ୍ୟ ସଂକଟ ସୃଷ୍ଟି ହୋଇଛି ।

ଗ୍ୟାସ୍ ଅଭାବ ଯୋଗୁ ଲୋକମାନେ ବାଧ୍ୟହୋଇ ଚୁଲି ଜାଳି ରୋଷେଇ କରୁଛନ୍ତି । ମଧ୍ୟବିତ୍ତ ବର୍ଗର ଲୋକମାନେ ମଧ୍ୟ ନିଜ ଖାଦ୍ୟ ବାବଦ ଖର୍ଚ୍ଚ କମାଇ ଦେଇଛନ୍ତି । ଦରବୃଦ୍ଧି ଚରମସୀମାରେ ପହଞ୍ଚିଥିବାରୁ ସେମାନେ ବି ଖାଦ୍ୟ ସାମଗ୍ରୀ କିଣିବାକୁ ସମର୍ଥ ହେଉନାହାନ୍ତି । ଏଭଳି ସ୍ଥିତିରେ ଅଟୋରିକ୍ସ ଚଳାଉଥିବା ପରେରାଙ୍କ ଭଳି ଲୋକଙ୍କ ଅବସ୍ଥା କ’ଣ ଥିବ, ତାହା ଅନୁମାନ କରାଯାଇପାରେ । ଶ୍ରୀଲଙ୍କାରେ ମେ ମାସରେ ମୁଦ୍ରାସ୍ଫୀତି ୩୯.୧% ଥିଲା ବେଳେ ଜୁନ୍ରେ ତାହା ୫୪.୬% ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.