ଠାକୁରଙ୍କ ସୁନାକୂଅ

Published By : Prameya-News7 Bureau | June 24, 2018 IST

ଲୀଳାମାନୁଷ ବିଗ୍ରହ ଶ୍ରୀଜଗନ୍ନାଥ | ତାଙ୍କର ଦିବ୍ୟ ଲୀଳା ମଧ୍ୟରେ ମାନବୀୟ ଆଚରଣ ଯଥେଷ୍ଟ | ଶ୍ରୀବତ୍ସ ଖଣ୍ଡଶାଳ ଶ୍ରୀମନ୍ଦିରରେ ଅବସ୍ଥାନ କରୁଥିବା ଠାକୁରଙ୍କ ଜନ୍ମୋତ୍ସବ ସ୍ନାନ ପାଇଁ ଏକ ସ୍ୱତନ୍ତ୍ର କୂପ ଶ୍ରୀମନ୍ଦିର ବାହାରବେଢା ଉତ୍ତର ଦ୍ୱାର ନିକଟରେ ରହିଛି | ଏହି କୂଅର ନାଁ ସୁନାକୂଅ | ସୁନାକୂଅର ନନ୍ଦକୁ ସାରା ବର୍ଷ ବ୍ୟବହାର କରାଯାଇନଥାଏ | ଦେବ ସ୍ନାନ ପୁର୍ଣିମା ପୂର୍ବ ଦିବସରୁ ଏହି କୂଅକୁ ଉଛୁଳା ଯାଇ ଝରି ଆସିଥିବା ନୂତନ ଜଳକୁ ସଂଗ୍ରହ କରାଯାଏ | ବର୍ଷକ ଥରେ ସ୍ନାନ ପୁର୍ଣିମା ଉଦ୍ଦେଶ୍ୟରେ ସୁନାକୂଅରୁ ମାତ୍ର ୧୦୮ କଳସ ଜଳ ସଂଗ୍ରହ କରାଯାଇଥାଏ | ଏହି ଜଳ ସଂଗ୍ରହ କରିଥାନ୍ତି ସୁନା ଗୋସାଇଁ ଓ ମନ୍ଦିରର ସେବକ | ଗରାବଡୁ ସେବକମାନେ ସଂଗ୍ରହା ୧୦୮ କଳସ ଜଳକୁ ନେଇ ଅଧିବାସ ଗୃହରେ ରଖିଥାନ୍ତି | ବିଶ୍ୱାସ କରାଯାଏ ଜ୍ୟେଷ୍ଠ ମାସ ଶୁକ୍ଳ ଦଶମୀ ଠାରୁ ଭାରତ ଭୂମିର ସମସ୍ତ ତୀର୍ଥ ଶ୍ରୀବିଗ୍ରହଙ୍କର ଅଙ୍ଗସଙ୍ଗ ଲାଭ କରିବା ନିମନ୍ତେ ଏହି ସୁନା କୂଅ ମଧ୍ୟରେ ଏକତ୍ର ହୋଇଥାନ୍ତି | ଠାକୁରଙ୍କ ସୁନାବେଶ, ସୁନା ଗୋସାଇଁ ସେବକ, ସୁନାଥାଳି ଭୋଗ ପରି ସୁନାକୂଅ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରେ | ତେବେ ସୁନାକୂଅର ନାମକରଣ ପଛରେ ଶୁଣିବାକୁ ମିଳେ ଯେ , ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକନିଷ୍ଠ ସେବକ ଗଜପତି ମହାରାଜ କପିଳେନ୍ଦ୍ର ଦେବ ଦକ୍ଷିଣାତ୍ୟ ବିଜୟ କରି ୧୦୦ଟି ହାତୀରେ ମାତ ମାତ ସୁନା ବୋହି ଆଣି ଏହି କୂଅରେ ପକାଇଥିଲେ | ତେଣୁ ଏହି କୂଅର ନାମ ସେହି କାଳରୁ ସୁନାକୂଅ ହୋଇଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.