ନୀତି ନିର୍ଘଣ୍ଟକୁ ଅନୁମୋଦନ କଲା ଛତିଶା ନିଯୋଗ, ୨୨ରେ ଦେବସ୍ନାନ ପୂର୍ଣ୍ଣିମା

Published By : Prameya-News7 Bureau | June 14, 2024 IST

ପୁରୀ: ଜୁନ୍ ୧୭ ତାରିଖରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଅନୁମୋଦନ କରିଛି ଛତିଶା ନିଯୋଗ। ଶୃଙ୍ଖଳିତ ନୀତି କାନ୍ତି ସହ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଓ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା କିଭଳି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ଛତିଶା ନିଯୋଗ ସେବାୟତ ସଦସ୍ୟଙ୍କ ସହଯୋଗ ଲୋଡିଛି ଶ୍ରୀମନ୍ଦିର ପ୍ରଶାସନ। 

ଆସନ୍ତା ୨୨ ତାରିଖରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ବିଶେଷ ନୀତି କାନ୍ତି ଥିବାରୁ ଏହାକୁ କିଭଳି ଶୃଙ୍ଖଳିତ ଭାବେ ପରିଚାଳିତ କରାଯିବ ସେନେଇ ବିଶେଷ ଗୁରୁତ୍ୱ ଦିଆଯାଇଛି। ତେବେ ସ୍ନାନ ପୂର୍ଣ୍ଣିମା ଦିନ ପହଣ୍ଡି ସମୟ ଭୋର ୪ଟା ରୁ ୬ଟା ରହିଛି। ଏହାପରେ ଅନ୍ୟାନ୍ୟ ନୀତି କାନ୍ତି ବଢ଼ିବା ପରେ ଦିନ ୨ଟା ରେ ଛେରା ପହଁରା, ୨ଟା ୪୦ ରେ ହାତୀବେଶ, ୬ଟା ୩୦ ରୁ ୯ଟା ୩୦ ମଧ୍ୟରେ ସାହାଣମେଲା ଦର୍ଶନ ରହିଛି। ପରେ ୧୦ଟା ୩୦ ରୁ ରାତ୍ର ୧ ଟା ମଧ୍ୟରେ ବାହୁଡ଼ା ପହଣ୍ଡି, ୧ଟା ୩୦ରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି କରାଯିବା ନେଇ ନୀତି ନିର୍ଘଣ୍ଟରେ ସୂଚନା ଦିଆଯାଇଛି। 


ତେବେ ଉକ୍ତ ଦିନର ନୀତି ଅନୁଯାୟୀ ନୀତି ନିର୍ଘଣ୍ଟରେ ପରିବର୍ତ୍ତନ ହୋଇପାରେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ୧୩ ଦିନ ଅଣସର ପଡ଼ୁଥିବାରୁ ସେବାୟତ ଓ ପ୍ରଶାସନ ପାଇଁ ଏହା ଏକ ବଡ଼ ଚାଲେଞ୍ଜ ହେବ।‌ ସ୍ନାନ ଯାତ୍ରାରେ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ସେ ନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ଆସନ୍ତା ସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ସେବାୟତ ପ୍ରତିଶ୍ରୁତି ଦେଇଛନ୍ତି। 

ଆଜି ନିଳାଦ୍ରୀ ଭକ୍ତ ନିବାସ ଠାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ପିନାକ ମିଶ୍ର, ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ, ପରିଚାଳନା କମିଟି ସେବାୟତ ସଦସ୍ୟ ଓ ଛତିଶା ନିଯୋଗର ସେବାୟତ ସଦସ୍ୟ ମାନେ ଉପସ୍ଥିତ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.