ଶ୍ରୀମନ୍ଦିର ମହାପ୍ରସାଦର ମୂଲ୍ୟ ନିର୍ଧାରଣ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ସୁଆର ମହାସୁଆରଙ୍କ ବୈଠକ
16/10/2018 at 3:07 PM

ପୁରୀ ୧୬/୧୦ : ଶ୍ରୀମନ୍ଦିରରେ ଖୁବ୍ ଶିଘ୍ର ମହାପ୍ରସାଦର ମୁଲ୍ୟ ନିର୍ଦ୍ଧାରଣ କରାଯାଇ ଦର ତାଲିକା ଲଗାଯିବ। ମହାପ୍ରସାଦର ମୁଲ୍ୟ ଆକଳନ କରିବା ପାଇଁ ପରୀକ୍ଷାମୂଳକ ଭାବେ ମହାପ୍ରସାଦ କୋଠ ଭୋଗରେ ରନ୍ଧାଯିବ। ଏହାପରେ ଉପଯୁକ୍ତ ଲାଭାଶଂ ରଖାଯାଇ ଭକ୍ତ ମାନଙ୍କୁ ବିକ୍ରୟ ପାଇଁ ଦର ତାଲିକା ପ୍ରସ୍ତୁତ କରାଯିବ। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ସୁଆର ମହାସୁଆର ନିଯୋଗର ବୈଠକ ପରେ ଏଭଳି ନିଷ୍ପତ୍ତି ନିଆ ଯାଇଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚାଉଳ, ଡ଼ାଲି, କୁଡ଼ୁଆ ଓ ଅନ୍ୟାନ୍ୟ ଭୋଗ ସାମଗ୍ରୀ ଯୋଗାଇ ଦିଆଯିବ। ରନ୍ଧନ ସମୟରେ ଦେଉଳକରଣ, ଶ୍ରୀମନ୍ଦିର ସୁପରଭାଇଜର ଉପସ୍ଥିତ ରହି ନୀରିକ୍ଷଣ କରିବା ପରେ ଏକ ବୈଠକ କରାଯାଇ ମହାପ୍ରସାଦର ଉପଯୁକ୍ତ ମୁଲ୍ୟ ଲାଗୁ କରାଯିବ। ମୁଲ୍ୟ ନିର୍ଦ୍ଧାରଣ ପରେ ଦର ତାଲିକା ପ୍ରସ୍ତୁତ କରାଯାଇ ଆନନ୍ଦବଜାରରେ ବିଭିନ୍ନ ସ୍ଥାନରେ ଲଗାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏହାଛଡ଼ା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଆନନ୍ଦବଜାରରେ ଏକ ହେଲ୍ପ ଡ଼େସ୍କ ଲଗାଯିବ। ଏହି ହେଲ୍ପ ଡ଼େସ୍କରେ ଶ୍ରୀମନ୍ଦିର ପ୍ରଶାସନର ପ୍ରତିନିଧି, ସୁଆର ମହାସୁଆର ନିଯୋଗ ପ୍ରତିନିଧି ଓ ପୋଲିସ ପ୍ରତିନିଧି ରହିବାର ବ୍ୟବସ୍ଥା କରାଯାଇଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଯେକୌଣସି ଅସୁବିଧା ଓ ସମସ୍ୟାର ଆଶୁ ସମାଧାନ କରାଯିବ ଏହି ହେଲ୍ପ ଡ଼େସ୍କ ମାଧ୍ୟମରେ। ଏହାଛଡ଼ା ଗତ ରଥଯାତ୍ରାର ସେବକ ପୁରସ୍କାର ପ୍ରଦାନ ପ୍ରକ୍ରୀୟା ମଧ୍ୟ ଆରମ୍ଭ ହେଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।