ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଯୋଗ ଦେବାକୁ ଯାଇ ଶ୍ରୀଲଙ୍କାର ୯ ଖେଳାଳି ଓ ଜଣେ କୋଚ୍ ବ୍ରିଟେନରେ ନିଖୋଜ

Published By : Prameya-News7 Bureau | August 11, 2022 IST

ବର୍ମିଂହମ ୧୧।୮: ରାଜ୍ୟଗୋଷ୍ଠୀ କ୍ରିଡା ୨୦୨୨ରେ ଯୋଗ ଦେବାକୁ ବର୍ମିଂହମ ଯାଇଥିବା ଶ୍ରୀଲଙ୍କା ଖେଳାଳି ଦଳଙ୍କ ୧୦ ସଦସ୍ୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରି ନାହାନ୍ତି। ମନେ କରାଯାଉଛି ସେମାନେ ବ୍ରିଟେନରେ ରହିବା ପାଇଁ କେଉଁଠି ଆତ୍ମଗୋପନ କରିଛନ୍ତି। ନିଖୋଜ ଖେଳାଳି ଦଳ ସଦସ୍ୟଙ୍କ ମଧ୍ୟରେ ୯ ଜଣ ଖେଳାଳି ଓ ଜଣେ କୋଚ୍ ଅଛନ୍ତି। କୁହାଯାଉଛି ଜୁଡୋକା ଖେଳାଳି କେମିଲା ଦିଲାନୀ ତାଙ୍କ ମ୍ୟାନେଜର ଓସେଲା ଡି ସିଲଭା  ଓ ରେସ୍ଲିଂ ଖେଳାଳି ଶନିଥ ଚତୁରଙ୍ଗା ଗତ ସପ୍ତାହରୁ ନିଖୋଜ ଥିଲେ। ସେମାନଙ୍କ ପରେ ଆଉ ୭ ଜଣ ନିଖୋଜ ହୋଇଯାଇଛନ୍ତି।

ଶ୍ରୀଲଙ୍କା ଏବେ ଐତିହାସିକ ଆର୍ଥିକ ସଂକଟ ମଧ୍ୟରେ ଗତି କରୁଛି। ଏଣୁ ସେମାନେ ବ୍ରିଟେନରେ ରହିବା ପାଇଁ କେଉଁଠି ଲୁଚି ପଡିଥିବା ସନ୍ଦେହ କରାଯାଉଛି। ଶ୍ରୀଲଙ୍କା ଆଥଲେଟ୍ ମାନେ ବ୍ରିଟେନରେ ରୋଜଗାର ସନ୍ଧାନ ଲାଗି ପୁଣି ଶ୍ରୀଲଙ୍କା ଫେରି ନାହାନ୍ତି। ମ୍ୟାନେଜମେଣ୍ଟ ପୂର୍ବରୁ ଖେଳାଳି ଓ ମ୍ୟାନେଜରମାନଙ୍କର ପାସପୋର୍ଟ ନିଜ ପାଖରେ ରଖିନେଇଥିଲେ। ଏହା ସତ୍ତ୍ୱେ ଖେଳାଳିମାନେ ଦେଶକୁ ପୁଣି ଫେରିବାକୁ ଉଚିତ ମନେ କରି ନାହାନ୍ତି।

{"id":669425,"sizeSlug":"full","linkDestination":"none"}

ଗତ ସପ୍ତାହରେ ବ୍ରିଟେନ ପୋଲିସ ନିଖୋଜ ଖେଳାଳିଙ୍କ ମଧ୍ୟରୁ ୩ ଜଣଙ୍କୁ ଖୋଜି କାଢି ଥିଲେ। ତେବେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇ ନାହିଁ। ଏହି ଖେଳାଳିମାନେ ବ୍ରିଟେନରେ ୬ ମାସ ରହିବା ପାଇଁ ଭିସା ରଖିଥିଲେ। ଏଣୁ ସେମାନଙ୍କୁ ଛାଡି ଦିଆଯାଇଛି। ପୋଲିସ ପ୍ରଶାସନ ଶ୍ରୀଲଙ୍କା ମ୍ୟାନଜମେଣ୍ଟକୁ ଖେଳାଳିମାନଙ୍କ ପାସପୋର୍ଟ ଫେରାଇ ଦେବାକୁ କହିଛନ୍ତି।

ଅନ୍ତର୍ଜାତୀୟ କ୍ରିଡାରେ ଯୋଗ ଦେବାକୁ ଯାଇ ଶ୍ରୀଲଙ୍କା ଖେଳାଳି ଦେଶକୁ ନ ଫେରିବା କିଛି ନୂଆ କଥା ନୁହେଁ। ଉଜ୍ଜ୍ୱଳ ଭବିଷ୍ୟତ ଆଶାରେ ଖେଳାଳିମାନେ ବିଦେଶ ଖେଳିବାକୁ ଯାଇ ସେଠାରେ ରହି ଯାଉଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ଓସ୍ଲୋରେ ଅନୁଷ୍ଠିତ କୁସ୍ତି ୱାର୍ଲଡ ଚାମ୍ପିୟନସିପ୍ ପରେ ଜଣେ ଖେଳାଳି ନିଜ ଟିମ୍‌ କୁ ଛାଡି ଫେରାର ହୋଇଯାଇଥିଲେ। ଭବିଷ୍ୟତ ପରିକଳ୍ପନାରେ ସେ ଏପରି କରିଥିବାର କୁହାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.