ଆଇସିସି ବିଶ୍ୱକପ୍ ୨୦୨୩ : ଟସ୍ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ
2/11/2023 at 1:37 PM

ମୁମ୍ବାଇ ୦୨।୧୧ : ବିଶ୍ୱକପ୍ ୨୦୨୩ । ଗୁରୁବାର ଖେଳାଯିବ ଟୁର୍ଣ୍ଣାମେଣ୍ଟର ୩୩ ତମ ମ୍ୟାଚ୍ । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବ ମୁକାବିଲା । ତେବେ ଏହି ମ୍ୟାଚ୍ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଯାହାଫଳରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଉଭୟ ଟିମ୍ରେ ଆଜି କୌଣସି ପରିବର୍ତ୍ତନ କରାଯାଇନାହିଁ ।
ବର୍ତ୍ତମାନ ସୁଦ୍ଧା ଦିନିକିଆ ବିଶ୍ୱକପ୍ ୨୦୨୩ରେ ଜବରଦସ୍ତ ଫର୍ମରେ ରହିଛି ଟିମ୍ ଇଣ୍ଡିଆ । ଏବେ ସୁଦ୍ଧା ୬ଟି ମୁକାବିଲା ଖେଳିସାରିଛି ଟିମ୍ । ଯେଉଁଥିରେ ଗୋଟିଏ ବି ହେଲେ ମ୍ୟାଚ୍ରେ ପରାଜୟର ସାମ୍ନା କରିନାହିଁ ଟିମ୍ । ୧୨ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୨ୟ ସ୍ଥାନରେ ରହିଛି ରୋହିତ ଆଣ୍ଡ କୋ ।
ସେହିପରି ଶ୍ରୀଲଙ୍କା ବର୍ତ୍ତମାନ ସୁଦ୍ଧା ୬ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୨ଟି ମୁକାବିଲାରେ ବିଜୟୀ ହୋଇଥିବା ବେଳେ ୪ଟିରେ ଟିମ୍କୁ ପରାଜୟର ସାମ୍ନା କରିବାକୁ ପଡିଛି । ମୋଟ ୪ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୭ମ ସ୍ଥାନରେ ରହିଛି । ପୁରା ଟୁର୍ଣ୍ଣାମେଣ୍ଟରେ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ଆହତ ସମସ୍ୟା ।
ଓ୍ୱାଙ୍ଖଡେ ଷ୍ଟାଡିୟମ୍ରେ ପିଚ୍ ବ୍ୟାଟିଂର ଭୂସ୍ୱର୍ଗ କହିଲେ ଭୁଲ ହେବ ନାହିଁ । ନାଲି ମାଟିର ପିଚ୍ ଓ ଦ୍ରୁତ ଆଉଟ୍ ଫିଲ୍ଡରେ ବିଶାଳ ସ୍କୋର ସଂଗୃହୀତ ହେବ । ଲିଗ୍ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଏଠାରେ ୨ଟି ମ୍ୟାଚ୍ ଖେଳିସାରିଛି । ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ରେ ଦଳ ୩୯୯ ଓ ବାଂଲାଦେଶ ବିପକ୍ଷ ୨ୟ ମ୍ୟାଚ୍ରେ ୩୮୨ ରନ୍ ସଂଗ୍ରହ କରିଥିଲା । ତେଣୁ ଆଜିର ମ୍ୟାଚ୍ରେ ବିଶାଳ ସ୍କୋର ହେବା ଆଶା କରାଯାଉଛି ।
ଭାରତ- ରୋହିତ ଶର୍ମା (ଅଧିନାୟକ), ଶୁଭମନ୍ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ୍ ରାହୁଲ୍, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜ
ଶ୍ରୀଲଙ୍କା – ପଥୁମ୍ ନିଶଙ୍କା, ଦିମୁଥ କରୁଣାରତ୍ନେ, କୁଶଲ ମେଣ୍ଡିସ (ଅଧିନାୟକ), ସଦିରା ସମରବିକ୍ରମା, ଚରିଥ ଆଶାଲଙ୍କା, ଆଞ୍ଜୋଲା ମାଥ୍ୟୁସ୍, ଧନଞ୍ଜୟ ଡି ସିଲ୍ଭା, କାସୁନ୍ ରଜିଥା, ମହୀଶ ତୀକ୍ଷଣା, ଦିଲ୍ସାନ ମଦୁଶଙ୍କା, ଦୁଷ୍ମନ୍ତ ଚାମୀରା ।