ଚୀନର ଚାଲ୍ ଏବେ ବୁଝିଲା ଶ୍ରୀଲଙ୍କା: କହିଲା- ଡ୍ରାଗନ ସହିତ ଡିଲ୍ ଥିଲା ବହୁତ ବଡ ଭୁଲ, ଏବେ ଆମର 'ଇଣ୍ଡିଆ ଫାଷ୍ଟ' ନୀତି

Published By : Prameya-News7 Bureau | August 26, 2020 IST

ନୂଆଦିଲ୍ଲୀ  ୨୬।୦୮:  ଚୀନର ଚାଲରେ ପଡି ଅନେକ କ୍ଷତି ସହିଥିବା ଶ୍ରୀଲଙ୍କା ଏବେ ବୁଝି ପାରିଛି ଯେ ଡ୍ରାଗନ ସହିତ ବନ୍ଦର ବୁଝାମଣା କରିବା ତାର ସବୁଠୁ ବଡ ଭୁଲ ଥିଲା। କେବଳ ଏତିକି ନୁହେଁ ପଡୋଶୀ ଦେଶ ଏବେ ଭାରତ ପ୍ରଥମେ ନୀତି ମାର୍ଗରେ ଚାଲିବ ବୋଲି କହିଛି। ଦକ୍ଷିଣ ଏସିଆ ମାମଲାର ବିଶେଷଜ୍ଞ କହିଛନ୍ତି ଆଗାମୀ ସମୟରେ ନେପାଳ, ବାଂଲାଦେଶ ପରି ଦେଶ ମଧ୍ୟ ପଶ୍ଚାତାପ କରିବେ। ଯେଉଁମାନେ ଚୀନ ପ୍ରଲୋଭନ ତଥା ଜାଲରେ ପଡିଛନ୍ତି ସେମାନେ ଭବିଷ୍ୟତରେ ପଶ୍ଚାତାପ କରିଛନ୍ତି।

ଶ୍ରୀଲଙ୍କାର ବୈଦେଶିକ ସଚିବ ଜୟାନାଥ କୋଲୋମବାଜେ କହିଛନ୍ତି ଶ୍ରୀଲଙ୍କା ସମନ୍ଵୟ ସହିତ ବୈଦେଶିକ ନୀତିରେ ଚାଲିବାକୁ ଚାହୁଁଛି। ମାତ୍ର ରଣନୈତିକ ଓ ସୁରକ୍ଷା ପ୍ରସଙ୍ଗରେ ‘ଇଣ୍ଡିଆ ଫାଷ୍ଟ’ ନୀତିରେ ଚାଲିବ। ଶ୍ରୀଲଙ୍କାର ଏକ ଟିଭି ଚ୍ୟାନେଲ୍‌ ସହ ଆଲୋଚନା  ବେଳେ କୋଲୋମବାଜେ କହିଛନ୍ତି ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ରଣନୈତିକ ସୁରକ୍ଷା ମାମଲାରେ ଆମକୁ ଭାରତ ପ୍ରଥମ ନୀତିରେ ଚାଲିବାକୁ ପଡିବ ବୋଲି କହିଛନ୍ତି। ଆମେ ଭାରତ ପାଇଁ ରଣନୈତିକ ବିପଦ ସାଜି ପାରିବା ନାହିଁ ଏବଂ ଆମକୁ ଏମିତି କରିବା ଉଚିତ୍ ନୁହେଁ। ଭାରତ ସହ ସୁସଂପର୍କ ହିଁ ଆମ ପାଇଁ ଲାଭକାରୀ  ବୋଲି ରାଷ୍ଟ୍ରପତି ଗୋଟବାୟା କହିଛନ୍ତି। ରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି ସୁରକ୍ଷା ସମ୍ଵନ୍ଧିତ ପ୍ରସଙ୍ଗରେ ଭାରତ ଆମର ପ୍ରଥମ ପ୍ରାଥମିକତା, ମାତ୍ର ଆର୍ଥିକ ସମୃଦ୍ଧି ପାଇଁ ଅନ୍ୟ ଦେଶ ସହିତ ମଧ୍ୟ ରାଜିନାମା କରିବାକୁ ପଡିବ।

ବୈଦେଶିକ ସଚିବ କହିଛନ୍ତି ତଟସ୍ଥ ବୈଦେଶିକ ନୀତି ସହିତ ଶ୍ରୀଲଙ୍କା ଭାରତର ରଣନୈତିକ ହିତର ରକ୍ଷା କରି ପାରିବ। ଏହି ସମୟରେ ସେ ସବୁଠୁ ବଡ କଥା ଉଲ୍ଲେଖ କରି କହିଛନ୍ତି ଏବଂ ସ୍ଵୀକାର କରିଛନ୍ତି ହମ୍ବନଟୋଟା ବନ୍ଦରକୁ ୯୯ ବର୍ଷ ପାଇଁ ଚୀନକୁ ଲିଜ୍‌ରେ ଦେବା ବହୁତ ବଡ ଭୁଲ ଥିଲା।

ରାଜପକ୍ଷେ ନିର୍ବାଚନରେ ବିଜୟ ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନିକଟରେ ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଗୁଣାବର୍ଦ୍ଧନେଙ୍କ ସହ ଆଲୋଚନା କରିଥିଲେ। ଗୃହ ଯୁଦ୍ଧ ସମୟରେ ବିବାଦୀୟ ଭାବେ ପ୍ରତିରକ୍ଷା ସଚିବ ଥିବା ୭୦ ବର୍ଷୀୟ ଗୋଟବାୟା ରାଜପକ୍ଷେଙ୍କ ରାଷ୍ଟ୍ରପତି ଭାବେ ବିଜୟୀ ହେବା ଭାରତ ପାଇଁ ସ୍ଵତନ୍ତ୍ର ମହତ୍ଵ ବହନ କରୁଛି। କାରଣ ଭାରତ ଆଶା କରୁଛି କଲମ୍ବୋର ନୂତନ ପ୍ରଶାସନ ନୂଆଦିଲ୍ଲୀର ରଣନୈତିକ ହିତ ବିରୋଧରେ ବିଦେଶୀ ଶକ୍ତିକୁ ନିଜ ଦେଶରେ ଅନୁମତି ଦେବ ନାହିଁ। ଦଶନ୍ଧି ଧରି ଶ୍ରୀଲଙ୍କାର ବିଶ୍ଵ ଶକ୍ତିଙ୍କ ସହ କୂଟନୈତିକ ସଂପର୍କ ଉପରେ ନଜର ରଖୁଥିବା ବିଶେଷଜ୍ଞ ଭରସା ଦେଇଛନ୍ତି ଯେ, ଗୋଟବାୟା ଏହି କ୍ଷେତ୍ରରେ ଆମେରିକା ହିତ ବିରୋଧରେ କୌଣସି ନୂତନ ନୀତି ଆପଣେଇବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.