ତାମିଲନାଡୁର ୧୫ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା, ଦୁଇ ମୋଟର ବୋଟ୍ ବି ଜବତ

Published By : Prameya-News7 Bureau | November 06, 2022 IST

ଚେନ୍ନାଇ: ପୁଣି ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା। ଶନିବାର ୧୫ ଜଣ ତାମିଲନାଡୁ ମତ୍ସ୍ୟଜୀବୀଙ୍କ ଗିରଫ କରିଛି ଶ୍ରୀଲଙ୍କା ତଟରକ୍ଷୀ ବାହିନୀ। ଏହି ମତ୍ସ୍ୟଜୀବୀମାନେ ଶ୍ରୀଲଙ୍କା ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗ ରହିଛି। ଏହି ଘଟଣାରେ ଗିରଫ ସହିତ ଦୁଇଟି ବୋଟ ମଧ୍ୟ ଜବତ କରିଛି ଶ୍ରୀଲଙ୍କା। ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ୨୫୦୦ ମତ୍ସ୍ୟଜୀବୀ ୪୦୦ ମଟର ବୋଟ୍‌ରେ ବସି ମାଛ ମାରିବାକୁ ଯାଇଥିଲେ।

ଭାରତୀୟ ମତ୍ସ୍ୟଜୀବୀମାନେ ତାଙ୍କ ଜଳସୀମାରେ ପ୍ରବେଶ କରିଥିବା ଶ୍ରୀଲଙ୍କା ଅଭିଯୋଗ କରିଥିଲେ ମଧ୍ୟ ମତ୍ସ୍ୟଜୀବୀ କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଧନୁଶକୋଡି ଏବଂ ଥାଲାଇମନ୍ନାର ଠାରେ ମାଛ ମାରୁଥିବା ବେଳେ ଶ୍ରୀଲଙ୍କା ତଟରକ୍ଷୀ ବାହିନୀର ପେଟ୍ରୋଲିଂ ଟିମ୍ ତାଙ୍କୁ ଘେରି ଯାଇଥିଲେ ବୋଲି ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି।

ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ପରେ ସେମାନଙ୍କୁ ଥାଲାଇମନ୍ନାର ନେଭି କ୍ୟାମ୍ପକୁ ନିଆଯାଇଛି। ଶ୍ରୀଲଙ୍କା ନୌସେନା ଯାଞ୍ଚ କରିବା ପରେ ଏମାନଙ୍କୁ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯିବ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଗିରଫ ୧୫ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଜଣେ ୧୨ ବର୍ଷ ନାବାଳକ ବି ରହିଛି। ତେଣୁ ଗିରଫମାନଙ୍କୁ ଉଦ୍ଧାର କରିବା ପାଇଁ ମତ୍ସ୍ୟଜୀବୀ ପରିବାର ଲୋକେ ଦାବି କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.