ଇଡେନ୍‌ ଗାର୍ଡେନ୍ସରେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ, ୨୧୫ ରନରେ ଅଲଆଉଟ୍ ଶ୍ରୀଲଙ୍କା

Published By : Prameya-News7 Bureau | January 12, 2023 IST

କୋଲକାତା: ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯାଉଥିବା ଦ୍ଵିତୀୟ ଦିନିକିଆରେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ। ଶ୍ରୀଲଙ୍କା ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିନପାରି ୩୯.୪ ଓଭରରେ ୨୧୫ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ନୁଆନିନ୍ଦୁ ଫର୍ଣ୍ଣାଡୋ ସର୍ବାଧିକ ୫୦ ରନ କରିଥିବା ବେଳେ କୁଶଲ ମେଣ୍ଡିସ୍ ୩୪ ରନ କରିଛନ୍ତି। ଦୁନିଥା ଓ୍ଵେଲାଗେ ୩୨ ରନ କରିଛନ୍ତି। ଭାରତ ପକ୍ଷରୁ ମହମ୍ମଦ ସିରାଜ ଏବଂ କୁଲଦୀପ ଯାଦବ ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଭାରତକୁ ଦ୍ଵିତୀୟ ଦିନିକିଆ ସହ ସିରିଜ୍  ଜିତିବା ପାଇଁ ୨୧୬ ରନର ବିଜୟ ଲକ୍ଷ୍ୟ ମିଳିଛି।  

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀଲଙ୍କା ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଅଭିଷ୍କା ଫର୍ଣ୍ଣାଡୋ(୨୦) ଆଉଟ୍ ହୋଇଥିଲେ। କୁଶଲ ମେଣ୍ଡିସ ଭଲ ଆରମ୍ଭ କରିଥିଲେ ହେଁ ୩୪ ରନ କରି ପାଭିଲିୟନ ଫେରିଥିଲେ। ଧନଞ୍ଜୟ ଡି ସିଲଭା ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଅନ୍ୟପଟେ ଓପନର ନୁଓ୍ଵାନିନ୍ଦୁ ଫର୍ଣ୍ଣାଡୋ ଭଲ ବ୍ୟାଟିଂ କରି ଅର୍ଦ୍ଧଶତକୀୟ(୫୦) ଇନିଂସ ଖେଳିଥିଲେ। ଓ୍ଵାନିନ୍ଦୁ ୨୧ ରନ କରିଥିବା ବେଳେ ଦୁନିଥ ଓ୍ଵେଲେଗା ୩୨ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଚମିକା କରୁଣାରତ୍ନେ(୧୭) ଏବଂ କୁଶନ ରଜିଥା(୧୭) ରନରେ ଆଉଟ୍ ହୋଇଥିଲେ। ବିଶେଷ କରି ଭ୍ରମଣକାରୀ ଦଳ ମହମ୍ମଦ ସିରାଜ୍ ଏବଂ କୁଲଦୀପ ଯାଦବଙ୍କ ବୋଲିଂର ମୁକାବିଲା କରିପାରିନଥିଲେ। ଫଳରେ ଶ୍ରୀଲଙ୍କା ୩୯.୪ ଓଭରରେ ୨୧୫ ରନରେ ଅଲଆଉଟ୍ ହୋଇଛି।

ଭାରତ ପକ୍ଷରୁ ମହମ୍ମଦ ସିରାଜ ୩୦ ରନ ଦେଇ ୩ଟି ଓ୍ଵିକେଟ୍ ଏବଂ କୁଲଦୀପ ଯାଦବ ୫୧ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଉମରାନ ମଲିକ ୪୮ ରନ ରନ ଦେଇ ୨ଟି ଏବଂ ଅକ୍ଷର ପଟେଲ୍ ୧୬ ରନ ଦେଇ ଗୋଟିଏ ଓ୍ଵିକେଟ୍ ଦଖଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.