ପୁଣେ: ଅଧିନାୟକ ଦାସୁନ ଶନାକା ଏବଂ କୁଶଲ ମେଣ୍ଡିସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ଇନିଂସ ବଳରେ ଶ୍ରୀଲଙ୍କା ପୁଣେରେ ଖେଳାଯାଉଥିବା ଦ୍ଵିତୀୟ ଟି-୨୦ରେ ବିଶାଳ ସ୍କୋର କରିଛି। ଭ୍ରମଣକାରୀ ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୨୦୬ ରନ କରିଛି। କୁଶଲ ମେଣ୍ଡିସ ୫୨ ରନ କରିଥିବା ବେଳେ ଅଧିନାୟକ ଦାସୁନ ଶନାକା ମାତ୍ର ୨୨ ବଲ୍ରୁ ୫୬ ରନର ବିସ୍ଫୋରକ ଅପରାଜିତ ଇନିଂସ ଖେଳିଛନ୍ତି। ଚରିଥ ଅସଲାଙ୍କା ୧୯ ବଲ୍ରୁ ୩୭ ରନ ଏବଂ ପଥୁନ ନିଶଙ୍କା ୩୩ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଅକ୍ଷର ପଟେଲ୍ ଏବଂ ୟୁଜବେନ୍ଦ୍ର ଚହଲଙ୍କୁ ବାଦ୍ ଦେଲେ ଦ୍ରୁତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଭାରତକୁ ସିରିଜ୍ ଜିତିବାକୁ ହେଲେ କରିବାକୁ ପଡିବ ୨୦୭ ରନ। ଏହା ପୂର୍ବରୁ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ଶ୍ରୀଲଙ୍କାର ଦୁଇ ଓପନ ପଥୁନ ନିଶଙ୍କା ଏବଂ କୁଶଲ ମେଣ୍ଡିସ୍ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ଉପରେ ଚାପ ପକାଇଥିଲେ। ବିସ୍ଫୋରକ ବ୍ୟାଟିଂ କରି ନିଶଙ୍କା ଏବଂ ମେଣ୍ଡିସ ୮.୨ ଓଭରରେ ୮୦ ରନ ଯୋଡିଥିଲେ। ବିଶେଷ କରି ମେଣ୍ଡିସ ଧୂଆଁଧାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ଚହଲ ମେଣ୍ଡିସଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ମେଣ୍ଡିସ ୩୧ ବଲ୍ରୁ ୩ ଚୌକା ଏବଂ ୪ ଛକା ସହ ୫୨ ରନର ଦମଦାର ଇନିଂସ ଖେଳିଥିଲେ। ତେବେ ଶ୍ରୀଲଙ୍କା ସଅଳ ଦୁଇଟି ଓ୍ଵିକେଟ୍ ହରାଇଥିଲା। ଭାନୁକ ରାଜପକ୍ଷ(୨) ଏବଂ ପଥୁନ ନିଶଙ୍କା(୩୩) ଆଉଟ୍ ହୋଇଥିଲେ। ଧନଞ୍ଜୟ ଡି ସିଲ୍ଭା(୩) ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ।
ମଧ୍ୟ କ୍ରମରେ ଚରିଥ ଅସଲଙ୍କା ଦ୍ରୁତ ବ୍ୟାଟିଂ କରି ୧୯ ବଲ୍ରୁ ୪ ଛକା ସହ ୩୭ ରନ କରି ପୁଣି ଥରେ ଶ୍ରୀଲଙ୍କାର ରନ ଗତିକୁ ବଢାଇଥିଲେ। ଅସଲଙ୍କାଙ୍କ ଆଉଟ୍ ପରେ କ୍ରିଜ୍କୁ ଓହ୍ଲାଇଥିବା ଅଧିନାୟକ ଦାସୁନ ସନାକା ଧୂଆଁଧାର ବ୍ୟାଟିଂ କରିଥିଲେ। ତାଙ୍କ ଉପରେ କୌଣସି ଭାରତୀୟ ବୋଲର ଅଙ୍କୁଶ ଲଗାଇ ପାରିନଥିଲେ। ଫଳରେ ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୨୦୬ ରନ କରିଛି। ଅଧିନାୟକ ସନାକା ୨୧ ବଲ୍ରୁ ଅର୍ଦ୍ଧଶତକ ହାସଲ କରିବା ସହ ୨୨ ବଲ୍ରୁ ୫୬ ରନର ବିସ୍ଫୋରକ ଅପରାଜିତ ଇନିଂସ ଖେଳିଥିଲେ।
ଭାରତ ପକ୍ଷରୁ ଉମରାନ ମଲିକ୍ ୩ ଓ୍ଵିକେଟ୍ ନେଇଥିଲେ ହେଁ ୪୮ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଅର୍ଶଦୀପ ସିଂ ମାତ୍ର ୨ ଓଭରରେ ୩୭ ରନ ବ୍ୟୟ କରିଛନ୍ତି। ଅକ୍ଷର ପଟେଲ୍ ୪ ଓଭରରେ ୨୪ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ଚହଲ ୩୦ ରନରେ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।