ଏସିଆ କ୍ରିକେଟ୍ କପ୍‌ର ତାରିଖ ଘୋଷଣା, ଏହି ଦିନ ଆରମ୍ଭ ହେବ ମୁକାବିଲା

Published By : Prameya-News7 Bureau | March 19, 2022 IST

ନୂଆଦିଲ୍ଲୀ ୧୯।୦୩: ଏସିଆନ କ୍ରିକେଟ୍ ପରିଷଦ ଏସିଆ କପ୍ ୨୦୨୨ର ତାରିଖ ଘୋଷଣା କରିଛି। ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଅଧିକାର ଶ୍ରୀଲଙ୍କାକୁ ମିଳିଛି। ଟି-୨୦ ବିଶ୍ଵ କପ୍ ଠିକ୍ ପୂର୍ବରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟ୍‌ରେ ଖେଳାଯିବ। ୧୫ତମ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ ନିଜର ଟାଇଟଲ୍ ବଜାୟ ରଖିବାକୁ ମଇଦାନକୁ ଓହ୍ଲାଇବ। ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତାପର୍ଯ୍ୟାୟ ମୁକାବିଲା ଅଗଷ୍ଟ ୨୦ରୁ ଆରମ୍ଭ ହେବ।

ଏହି ଟୁର୍ଣ୍ଣାମେଣ୍ଟ ପ୍ରଥମେ ୨୦୨୦ ସେପ୍ଟେମ୍ବରରେ ଖେଳାଯିବାର ଥିଲା। ହେଲେ  କରୋନା ମହାମାରୀ କାରଣରୁ ଏହାକୁ ସ୍ଥଗିତ କରାଯାଇଥିଲା। ପରେ ଏହି ଟୁର୍ଣ୍ଣାମେଣ୍ଟ ୨୦୨୧ରେ ଆୟୋଜନ ହେବାର ଥିଲା। ମାତ୍ର ଦ୍ଵିତୀୟ ଥର ଏହାକୁ ସ୍ଥଗିତ କରିବାକୁ ପଡିଥିଲା। ଏବେ କରୋନା ପ୍ରକୋପ କମିବା ପରେ ସ୍ଥିତି ସ୍ଵାଭାବିକ ହୋଇଛି। ଏହା ପରେ ଏଜିଏମ ବୈଠକରେ ସେପ୍ଟେମ୍ବରରେ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି।

ଏସିଆ କପ୍ ଅଗଷ୍ଟ ୨୭ରୁ ଆରମ୍ଭ ହେବ ଏବଂ ଏହାର ଫାଇନାଲ୍ ମ୍ୟାଚ୍ ସେପ୍ଟେମ୍ବର ୧୧ରେ ଖେଳାଯିବ। ଏହା ଟି-୨୦ ଫର୍ମାଟ୍‌ରେ ଖେଳାଯିବ। ଏସିସି ଏ ପର୍ଯ୍ୟନ୍ତ କ୍ରୀଡାସୂଚୀ ଘୋଷଣା କରି ନାହିଁ। ୨୦୧୬ପରେ ପ୍ରଥମ ଥର ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ। ୨୦୧୮ରେ ଶେଷ ଥର ଏସିଆ କପ୍‌ର ଆୟୋଜନ ହୋଇଥିଲା। ସେହି ସମୟରେ ଟୁର୍ଣ୍ଣାମେଣ୍ଟ ୫୦ ଓଭରର ଖେଳାଯାଇଥିଲା।

ରେକର୍ଡ ସାତ ଥର ଟାଇଟଲ୍ ଜିତିଥିବା ଭାରତର ନଜର ଅଷ୍ଟମ ଟାଇଟଲ୍ ଜିତିବା ଉପରେ ରହିଛି। ଏଥିସହ ହ୍ୟାଟ୍ରିକ ଉପରେ ଦଳର ନଜର ରହିବ। ଭାରତ ୨୦୧୬ ଏବଂ ୨୦୧୮ରେ କ୍ରମାଗତ ଦୁଇ ଥର ଚାମ୍ପିଅନ ହୋଇ ସାରିଛି। ଏସିଆ କପ୍ ଆୟୋଜନ ପ୍ରତ୍ୟେକ ଦୁଇ ବର୍ଷରେ ଆୟୋଜନ ହୋଇଥାଏ। ମାତ୍ର କୋଭିଡ୍ ମହାମାରୀ କାରଣରୁ ୨୦୨୦ର ସଂସ୍କରଣ ରଦ୍ଦ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.