ଭାରତ ବିପକ୍ଷ ସିରିଜରେ ଦ୍ଵିତୀୟ ଧାଡିର ଖେଳାଳିଙ୍କୁ ପଡିଆକୁ ଓହ୍ଲାଇପାରେ ଶ୍ରୀଲଙ୍କା, କାରଣ କଣ ?

Published By : Prameya-News7 Bureau | July 04, 2021 IST

ନୂଆଦିଲ୍ଲୀ ୦୪।୦୭: ଶ୍ରୀଲଙ୍କା କ୍ରିକେଟ୍ ସଂପ୍ରତି ସବୁଠୁ ଖରାପ ସମୟ ଦେଇ ଗତି କରୁଛି। ଦଳ କ୍ରମାଗତ ଖରାପ ପ୍ରଦର୍ଶନ କରିବାରେ ଲାଗିଛି, ଯାହା ଶ୍ରୀଲଙ୍କା କ୍ରିକେଟ୍ ପାଇଁ ବହୁତ ବଡ ସମସ୍ୟା ପାଲଟିଛି। ଶ୍ରୀଲଙ୍କା କ୍ରିକେଟ୍(ଏସଏଲସି)ର ଖେଳାଳିଙ୍କ ସହ ଜାରି ବିବାଦର ପ୍ରଭାବ ଭାରତ ବିପକ୍ଷ ସୀମିତ ଓଭର ସିରିଜ୍ ଉପରେ ପଡିପାରେ। ଆୟୋଜକ ଶ୍ରୀଲଙ୍କା ଭାରତ ବିପକ୍ଷ ଆଗାମୀ ସିରିଜ୍‌ରେ ଦ୍ଵିତୀୟ ମାନ୍ୟତାପ୍ରାପ୍ତ ଦଳକୁ ପଡିଆକୁ ଓହ୍ଲାଇପାରେ। ଅନ୍ୟପଟେ ଶିଖର ଧାଓ୍ଵନଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷ ସିରିଜ୍ ଖେଳିବା ପାଇଁ କଲମ୍ଵୋ ପହଞ୍ଚି ସାରିଛନ୍ତି। ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଶ୍ରୀଲଙ୍କା ଏ ପର୍ଯ୍ୟନ୍ତ ତାର ଦଳ ଘୋଷଣା କରି ନାହିଁ।

ମିଡିଆ ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା କ୍ରିକେଟ୍ ଦଳ ଇଂଲଣ୍ଡରେ ଖେଳାଯାଉଥିବା ସିରିଜ୍ ସମାପ୍ତ ପରେ ସ୍ଵଦେଶ ଫେରିବେ। ଶ୍ରୀଲଙ୍କାର ଖେଳାଳି ଅଦ୍ୟାବଧି ବୋର୍ଡ ସହିତ କଣ୍ଟ୍ରାକ୍ଟ ଉପରେ ଦସ୍ତଖତ କରି ନାହାନ୍ତି। ଏହାକୁ ଚୟନକର୍ତ୍ତା ଅପେକ୍ଷା କରିଛନ୍ତି। କାରଣ ଯେଉଁ ଖେଳାଳି ଚୁକ୍ତି ଉପରେ ଦସ୍ତଖତ କରିବେ ସେମାନଙ୍କୁ ଭାରତ ବିପକ୍ଷ ସିରିଜ୍ ପାଇଁ ଦଳରେ ସାମିଲ କରାଯିବ। ଯଦି ଖେଳାଳି ଦସ୍ତଖତ କରିବେ ନାହିଁ ତେବେ ଶ୍ରୀଲଙ୍କା ଦ୍ଵିତୀୟ ମାନ୍ୟତା ପ୍ରାପ୍ତ ଦଳକୁ ପଡିଆକୁ ଓହ୍ଲାଇବ। ଶ୍ରୀଲଙ୍କାର ଖବର କାଗଜ ଡେଲି ଏଫଟିର ରିପୋର୍ଟ ଅନୁସାରେ, ଏସଏଲସିର ଚୟନକର୍ତ୍ତା ପ୍ରମୋଦ ବିକ୍ରମସିଙ୍ଘେ ସୂଚନା ଦେଇଛନ୍ତି ଯେ, କଣ୍ଟ୍ରାକ୍ଟ ଉପରେ ଦସ୍ତଖତ କରିନଥିବା ଖେଳାଳିଙ୍କୁ ଭାରତ ବିପକ୍ଷ ସିରିଜ୍‌ ପାଇଁ ଚୟନ କରାଯିବ ନାହିଁ।

ଶ୍ରୀଲଙ୍କା କ୍ରିକେଟ୍‌ରେ ୩୯ ଖେଳାଳିଙ୍କୁ ନେଇ ଗ୍ରୁପ୍ କରାଯାଇଛି। ଯଦି ଆଗ ଧାଡିର ଖେଳାଳି କଣ୍ଟ୍ରାକ୍ଟରେ ଦସ୍ତଖତ ନକରନ୍ତି ତେବେ ଦ୍ଵିତୀୟ ଧାଡିର ଖେଳାଳିଙ୍କ ନେଇ ଦଳ ଗଠନ କରାଯିବ। ଏହି ଖେଳାଳିମାନେ ହିଁ ବର୍ତ୍ତମାନ ଅଭ୍ୟାସ୍ କରୁଥିବା ବିକ୍ରମସିଙ୍ଘେ କହିଛନ୍ତି। ଆମେ ଏ ପର୍ଯ୍ୟନ୍ତ ଭାରତ ବିପକ୍ଷ ସିରିଜ୍ ପାଇଁ ଦଳ ଚୟନ କରିନୁ। ରବିବାର ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆ ପରେ ଆମେ ଦଳ ଚୟନ କରିବୁ ବୋଲି ବିକ୍ରମସିଙ୍ଘେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.