ଭାରତର ଚାପ ପରେ ନଇଁଲା ଶ୍ରୀଲଙ୍କା, ଗୁପ୍ତଚର ଜାହାଜ ନ ପଠାଇବା ପାଇଁ ଚୀନକୁ କଲା ନିବେଦନ

Published By : Prameya-News7 Bureau | August 06, 2022 IST

ନୂଆଦିଲ୍ଲୀ: ଚୀନର ଗୁଇନ୍ଦା ଜାହାଜକୁ ନେଇ ଭାରତର ବିରୋଧ କାମ କରିଛି । ଶ୍ରୀଲଙ୍କା ସରକାର ଭାରତର ଚାପ ପରେ ଚୀନକୁ ନିଜର ଗୁପ୍ତଚର ଜାହାଜ ୟୁଆନ ୱାଙ୍ଗ ୫କୁ ଆଗକୁ ନ ବଢାଇବାକୁ କହିଛି । ଏହି ଜାହାଜ ଅଗଷ୍ଟ ୧୧ରେ ଶ୍ରୀଲଙ୍ଗାର ହମନଟୋଟା ବନ୍ଦରରେ ପହଞ୍ଚିଥାନ୍ତା । ସେଠାରେ ୬ ଦିନ ରହିବା ପରେ ଏହି ଗୁଇନ୍ଦା ଜାହାଜ ଶ୍ରୀଲଙ୍କାରୁ ଅଜଣା ସ୍ଥାନକୁ ଯାତ୍ରା କରିବ ବୋଲି ଖବର ଥିଲା ।

ଚୀନର ଏହି ଜାହାଜ ଶ୍ରୀଲଙ୍କାରେ ପହଞ୍ଚିବା ଭାରତର ସୁରକ୍ଷାକୁ ବଡ଼ ବିପଦ ବୋଲି କୁହାଯାଉଥିଲା । ଏହାପରେ ଭାରତୀୟ ଅଧିକାରୀମାନେ ଶ୍ରୀଲଙ୍କା ଆଗରେ ଏହି ଜାହାଜର ଆଗମନକୁ ନେଇ ବିରୋଧ କରିଥିଲେ । ଆରମ୍ଭରେ ଶ୍ରୀଲଙ୍କା ଭାରତର ଏହି ଅନୁରୋଧ ଉପରେ ଧ୍ୟାନ ଦେଇ ନଥିଲା, କିନ୍ତୁ ଚାପ ବଢିବା ପରେ ଚୀନକୁ ଚିଠି ଲେଖି ଜାହାଜକୁ ଆଗକୁ ନବଢାଇବା ପାଇଁ ଅନୁରୋଧ କରିଛି ।

ୟୁଆନ ୱାଙ୍ଗ ୫ ଚୀନର ଅତ୍ୟନ୍ତ ଶକ୍ତିଶାଳୀ ଗୁଇନ୍ଦା ଜାହାଜ । ଏହା ସ୍ପେସ ଏବଂ ସାଟେଲାଇଟ ଟ୍ରାକିଂ ସହ ଇଣ୍ଟରକଣ୍ଟିନେଣ୍ଟାଲ ବାଲେଷ୍ଟିକ ମିଶାଇଲ ଲଞ୍ଚର ମଧ୍ୟ ସନ୍ଧାନ କରିପାରିବ । ଏହା ୟୁଆନ ୱାଙ୍ଗ ସିରିଜର ତୃତୀୟ ପିଢିର ଟ୍ରାକିଂ ଜାହାଜ । ୨୦୦୭ ସେପ୍ଟେମ୍ୱର ୨୭ରେ ଏହାକୁ ସେବାରେ ସାମିଲ କରାଯାଇଥିଲା । ଏହି ଜାହାଜରେ ଅତ୍ୟନ୍ତ ଶକ୍ତିଶାଳୀ ଆଣ୍ଟିନା ଲାଗିଛି, ଯାହା ଦୀର୍ଘ ଦୂର ଯାଏଁ ନଜର ରଖିବାରେ ଏହାକୁ ସହାୟତା କରିଥାଏ । ଆରବ ସାଗରରେ ଗୁଇନ୍ଦାଗିରି କରିବା ଭାରତ ଏବଂ ଆମେରିକାର ଚିନ୍ତା ବଢାଇପାରେ। ଭାରତ ମହାସାଗରରେ ହିଁ ଆମେରିକାର ନୌସେନା ଶିବିର ଡିୟୋଗା ଗାର୍ସିଆ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.