ଶ୍ରୀଅଲାରନାଥ

Published By : Prameya-News7 Bureau | June 30, 2018 IST

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନବସର କାଳରେ ଚଳଚଞ୍ଚଳ ହୋଇଉଠେ ବ୍ରହ୍ମଗିରିର ଅଲାରନାଥ ପୀଠ | ୧୫ ଦିନର ଅନବସର କାଳରେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉମାନଙ୍କର ଦର୍ଶନ ପାଇବାରୁ ବଞ୍ଚିତ ହେଉଥିବା ଭକ୍ତମାନେ ଅଲାରନାଥଙ୍କୁ ଦର୍ଶନ କରି ସମାନ ଫଳ ଲାଭ କରିଥାନ୍ତି ବୋଲି ବିଶ୍ୱାସ ରହିଛି | ଗଜପତି ମହାରାଜ ପ୍ରତାପରୁଦ୍ରଦେବଙ୍କ ସମୟରେ ଅଲାରନାଥ ଦର୍ଶନର ପରମ୍ପରା ଆରମ୍ଭ ହୋଇଥିଲା | ଶ୍ରୀଚୈତନ୍ୟ ମହାପ୍ରଭୁ ଅନବସର କାଳରେ ଅଲାରନାଥଙ୍କୁ ଦର୍ଶନ କରି ଏକ ମହାନ ତଥ୍ୟ ପରିବେଷଣ କରିଥିଲେ | ଅନବସରରେ ଜଗନ୍ନାଥ ନା ପାୟା ଦର୍ଶନ ବିରହେ ଅଲାରନାଥ କରିଲା ଗମନ ପୁରୀ ଠାରୁ ୬ କୋଶ ( ପ୍ରାୟ ୨୨କି:ମି) ପଶ୍ଚିମକୁ ପୁରୀ ସାତପଡ଼ା ରାସ୍ତାରେ ଗଲେ ପଡିଥାଏ ବ୍ରହ୍ମଗିରି | କୁହାଯାଏ ଏଠାରେ ବ୍ରହ୍ମ ସ୍ୱର୍ଗରୁ ଅବତରଣ କରିଥିଲେ | ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିରର ଇତିହାସରୁ ଜଣାଯାଏ ଅଲାରନାଥ ଆଲବରମାନଙ୍କ ଉପାସ୍ୟ ଠାକୁର ଥିଲେ | ବ୍ରହ୍ମନାରାୟଣ ଅଲାରନାଥଙ୍କୁ ଅନେକେ ଆଲବରନାଥ, ଆଲବନ୍ଦୀରନାଥ,ଆଲାଲ୍ୟନାଥ ଆଦି ନାମରେ ସମ୍ବୋଧନ କରିଥାନ୍ତି | ଠାକୁରଙ୍କ ନାମରେ ଏଠାରେ ଅଲାରପୁର ନାମରେ ଏକ ଗ୍ରାମ ଗଢି ଉଠିଛି | ଅଲାରନାଥ ସଙ୍ଖୋଳିବା ମୁଦ୍ରାରେ ଶ୍ରୀକୃଷ୍ଣଙ୍କର ଦଣ୍ଡାୟମାନ ମଣିବିଗ୍ରହ | ଅନବସର ସମୟରେ ଅଲାରନାଥ ପୀଠରେ ଗୁରୁତ୍ୱ ବହୁ ଗୁଣରେ ବୃଦ୍ଧି ପାଇଥିଲା | ଅଲାରନାଥ ମନ୍ଦିର ପରିସରରେ ଏକ ଚୈତନ୍ୟ ଶିଳା ମଧ୍ୟ ରହିଛି | ଏହି ଶିଳାରେ ଶ୍ରୀଚୈତନ୍ୟଙ୍କ ଶରୀରର ଚିହ୍ନ ରହିଥିବାର ପଣ୍ଡାମାନେ ଦେଖାଇଥାନ୍ତି | ଶ୍ରୀକ୍ଷେତ୍ରର ମହାପ୍ରସାଦ ପରି ଅଲାରନାଥର କ୍ଷୀରୀ ପ୍ରସାଦ ବିଖ୍ୟାତ | ଠାକୁରଙ୍କ ବିଗ୍ରହର ଛାତିରେ ଓ ପାଦରେ ରହିଥିବା ଧଳା ଚିହ୍ନକୁ ଦେଖାଇ ମନ୍ଦିର ସେବକମାନେ କୁହନ୍ତି 'କ୍ଷୀରୀ ପ୍ରିୟ ଠାକୁର ତରବରରେ କ୍ଷୀରୀ ଖାଉ ଖାଉ ଛାତି ଓ ପାଦରେ ଗରମ କ୍ଷୀରୀ ପଡି ଏହି ଚିହ୍ନ ସୃଷ୍ଟି ହୋଇଛି |' କୁହାଯାଏ ନୀଳଗିରିର ଜଗନ୍ନାଥ ଓ ବ୍ରହ୍ମଗିରିର ଅଲାରନାଥ ଏକ ଓ ଅଭିନ୍ନ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.