ସ୍ନାନ ଯାତ୍ରା

Published By : Prameya-News7 Bureau | June 22, 2018 IST

ଶ୍ରୀ ଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନ ଯାତ୍ରା ଅନ୍ୟତମ | ଜ୍ୟେଷ୍ଠ ପୁର୍ଣିମା ଅବସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସ୍ନାନ ଯାତ୍ରା ଅନୁଷ୍ଠିତ ହୁଏ | ଶ୍ରୀମନ୍ଦିରର ଉତ୍ତର ପୂର୍ବ କୋଣରେ ଆନନ୍ଦ ବଜାରରେ ଲାଗି ରହିଥିବା ବିରାଟ ମଣ୍ଡପରେ ଏହି ସ୍ନାନ ଯାତ୍ରା ଅନୁଷ୍ଠିତ ହୁଏ | ଏହି ସ୍ନାନ ଯାତ୍ରାକୁ ସ୍ନାନ ପୁର୍ଣିମା,ଦେବସ୍ନାନ ପୁର୍ଣିମା,ମହାଜ୍ୟେଷ୍ଠା ସ୍ନାନ,ମଞ୍ଚା ସ୍ନାନ,ଅଭିଷେକ ପୁର୍ଣିମା ଭାବରେ ବର୍ଣନା କରାଯାଇଅଛି | ଦାରୁ ବିଗ୍ରହମାନଙ୍କୁ ସାରା ବର୍ଷ ବିମ୍ବ ସ୍ନାନ କରାଯାଉଥିଲା ବେଳେ ସ୍ନାନ ପୁର୍ଣିମା ଅବସରରେ ସୁଗନ୍ଧିତ ଜଳରେ ମୁକ୍ତ ସ୍ନାନ କରାଯାଏ | ସୁନା କୂଅରୁ ସଂଗ୍ରହ କରାଯାଇଥିବା ୧୦୮ କୁମ୍ଭ ଜଳରେ ଠାକୁରମାନେ ଏହି ଦିନ ସ୍ନାନ କରିଥାନ୍ତି | ସ୍ନାନ ଯାତ୍ରା ସମ୍ପର୍କରେ ମହର୍ଷି ଜୈମିନୀ କହିଛନ୍ତି - ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ବ୍ୟକ୍ତି ସମୂହଙ୍କର ହିତ ପାଇଁ ବିବିଧ ଲୀଳା କରିଥାନ୍ତି | ସ୍ନାନ ଯାତ୍ରା ଏହି ଲୀଳାର ଏକ ଅଂଶ | ନୈଷଧ କାବ୍ୟରେ କବି ଶ୍ରୀହର୍ଷଙ୍କ ଦ୍ୱାରା ସ୍ନାନ ଉତ୍ସବର ବିବିଧ ବର୍ଣନା କରାଯାଇଅଛି | ଶ୍ରୀମନ୍ଦିର ନୀତି ପୁସ୍ତକ "ନୀଳାଦ୍ରି ମହୋଦୟ" ରେ ଉଲ୍ଲେଖ ରହିଛି- ଶ୍ରୀଜଗନ୍ନାଥ ଜ୍ୟେଷ୍ଠ ପୁର୍ଣିମାରେ ଜନ୍ମ ଗ୍ରହଣ କରିଥିଲେ | ସ୍ନାନ ଉତ୍ସବ ମହାପ୍ରଭୁଙ୍କର ସ୍ଵନକ୍ଷତ୍ର ସ୍ନାନ ପର୍ବ | ଏଣୁ ଅନେକେ ସ୍ନାନ ପୁର୍ଣିମାକୁ ଜନ୍ମୋତ୍ସବ ପୁର୍ଣିମା ଭାବରେ ମଧ୍ୟ ଗ୍ରହଣ କରିଥାନ୍ତି | ସ୍ନାନ ପୁର୍ଣିମା ସନ୍ଧ୍ୟାରେ ମହାପ୍ରଭୁଙ୍କର ବଡ଼ବଦନ ବେଶ ଅନୁଷ୍ଠିତ ହୋଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.