ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ କରାଇଲେ SRC, ୧ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

Published By : Prameya-News7 Bureau | November 28, 2023 IST

ଭୁବନେଶ୍ବର ୨୮।୧୧: ଆସୁଛି ବାତ୍ୟା । ଦକ୍ଷିଣ ଆଣ୍ଡମାନ ପାର୍ଶ୍ଵବର୍ତ୍ତୀ ମଲାକା ରାଜ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ବୁଧବାର ସୁଦ୍ଧା ଏହା ଅବପାତର ରୂପ ନେବ । ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ । ସମ୍ଭାବ୍ୟ ବାତ୍ୟା ପ୍ରଭାବ ନେଇ ସ୍ପଷ୍ଟ ସୂଚନା ନାହିଁ । ତେବେ ଓଡ଼ିଶା ଓ ଆନ୍ଧ୍ରରେ ପ୍ରଭାବ ପଡ଼ିବ ବୋଲି ଆକଳନ କରାଯାଉଛି । ବୁଧବାର ଲ୍ୟାଣ୍ଡଫଲ୍ ନେଇ ସ୍ପଷ୍ଟ ସୂଚନା ମିଳିପାରିବ । ସମସ୍ତ ସିଷ୍ଟମ୍ ଉପରେ ଭାରତୀୟ ପାଣିପାଗ ବିଭାଗ ସ୍ବତନ୍ତ୍ର ନଜର ରଖିଛି ।

ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ୭ ଜିଲ୍ଲା ପାଇଁ ସତର୍କତା ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଛନ୍ତି SRC । ଆସନ୍ତା ୧ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ପବନର ବେଗ ସର୍ବାଧିକ ୭୦ କିଲୋମିଟର ପର୍ଯ୍ୟନ୍ତ ରହିବ । ୨ ତାରିଖରେ ସମୁଦ୍ର ଅଧିକ ଅଶାନ୍ତ ହେବା ସମ୍ଭାବନା ରହିଛି । ଡିସେମ୍ବର ୧ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନଯିବା ସହ ଫେରିବାକୁ ପରାମର୍ଶ ଦିଆଯାଇଛି ।

ଦକ୍ଷିଣ ଆଣ୍ଡମାନ ସାଗର ପାର୍ଶ୍ଵବର୍ତ୍ତୀ ମାଲକା ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଆଣ୍ଡମାନ ସାଗର ଅଞ୍ଚଳରେ ସକ୍ରିୟ ରହିଛି । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୩୦ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତର ରୂପ ନେବ । ପରବର୍ତ୍ତୀ ସମୟରେ ଉତ୍ତର ପଶ୍ଚିମ ଦିଗରେ ଗତି ରହିବ । ପରେ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବର ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ଏକ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେବ । ତେବେ ଏହାର ପ୍ରଭାବ ଆସନ୍ତା ୫ ଦିନ ଯାଏଁ ନାହିଁ । କିନ୍ତୁ ଡିସେମ୍ବର ୧ରୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିଲୋମିଟର ସର୍ବାଧିକ ୬୦ କିଲୋମିଟର ଘଣ୍ଟା ପ୍ରତି ରହିବ । ପରବର୍ତ୍ତୀ ସମୟରେ ବୃଦ୍ଧି ପାଇ ୫୦ରୁ ୬୦ ସର୍ବାଧିକ ୭୦ କିଲୋମିଟର ଘଣ୍ଟା ପ୍ରତି ରହିବ । ତେଣୁ ୧ ତାରିଖ ଠାରୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ଗଭୀର ମଧ୍ୟକୁ ଯିବାକୁ ବାରଣ ହୋଇଛି । 

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ବର୍ଷା ହୋଇପାରେ । ତେବେ ୩ ଡିସେମ୍ବରରେ କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୪ରେ ଉପକୂଳ ଓଡିଶା ଏବଂ ଅନ୍ୟ କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି, ଓଡ଼ିଶାରେ ପୂର୍ବରୁ ନଭେମ୍ବର ମାସରେ ବାତ୍ୟା ହୋଇଛି । କିନ୍ତୁ ଡିସେମ୍ବର ମାସରେ ବାତ୍ୟାର ସୂଚନା ନାହିଁ । ୩ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ । ଏହି ସିଷ୍ଟମ୍ ପ୍ରଭାବରେ ପଶ୍ଚିମ ଭାରତରେ ଏକ ଟ୍ରପ୍ ଲାଇନ୍ ରହିବ  । ପ୍ରଭାବରେ ଥଣ୍ଡା ପବନ ବହିପାରେ ।

ବାତ୍ୟା ଆନ୍ଧ୍ର କିମ୍ବା ଓଡ଼ିଶା ସ୍ଥଳ ଭାଗ ଛୁଇଁପାରେ ବୋଲି ବିଭିନ୍ନ ମଡେଲ ଆକଳନ କରୁଛି । ଆନ୍ତର୍ଜାତିକ ପାଣିପାଗ ବିଭାଗ ଏପରି ଆକଳନ କରିଥିବା ବେଳେ ଆସନ୍ତା ୫ ଦିନ ଯାଏଁ ଓଡ଼ିଶା ଉପରେ କୌଣସି ପ୍ରଭାବ ନାହିଁ ।

You Can Read :

wp:embed {"url":"https://www.prameyanews7.com/dileshwar-rana-will-be-awarded-odia-sahitya-academy-youth-award-2023/","type":"wp-embed","providerNameSlug":"prameya-news-7"}
https://www.prameyanews7.com/dileshwar-rana-will-be-awarded-odia-sahitya-academy-youth-award-2023/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.