ମହାନଦୀ ଓ ଏହାର ଶାଖା ନଦୀରେ ବନ୍ୟା ସ୍ଥିତି ଉପୁଜିନାହିଁ : ବୈତରଣୀ, ବୁଢ଼ାବଳଙ୍ଗ ଓ ଜଳକାରେ କମୁଛି ଜଳସ୍ତର
17/09/2021 at 3:53 PM

ଭୁବନେଶ୍ବର ୧୭।୯: ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି । ମହାନଦୀ ଓ ଏହାର ଶାଖା ନଦୀରେ ବନ୍ୟା ସ୍ଥିତି ଉପୁଜିନାହିଁ । ଏବେ ମୁଣ୍ଡଳୀରେ ୭.୫ରୁ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ହୀରାକୁଦରୁ ୪ ଲକ୍ଷ ୮୪ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ହୀରାକୁଦକୁ ଗୁରୁବାର ୫.୫୦ ହଜାର କ୍ୟୁସେକ୍ ଜଳ ପଶୁଥିଲା । ଶୁକ୍ରବାର ଏହା କମି ୪ ଲକ୍ଷ ୭୦ ହଜାର କ୍ୟୁସେକ୍ ଜଳ ପଶୁଛି । ବୈତରଣୀ, ବୁଢ଼ାବଳଙ୍ଗ ଓ ଜଳକାରେ ଜଳସ୍ତର କମୁଛି ବୋଲି ଏସଆରସି କହିଛନ୍ତି ।
ସେପଟେ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ରାଜଘାଟରେ ଏବେ ବିପଦ ସଙ୍କେତ ୧୦.୫୯ ମିଟର ରହିଛି । ଶୁକ୍ରବାର ରାତି ୧୨ଟା ସୁଦ୍ଧା ବିପଦ ସଙ୍କେତ ୧୧.୫ ମିଟର ରହିବ । ଫଳରେ ଭୋଗରାଇ ଓ ବାଲିଆପାଳ ବ୍ଲକ୍ ଅଞ୍ଚଳରେ ଜଳ ପ୍ରବେଶ କରିବ । ସେଥିପାଇଁ ବାଲେଶ୍ବର ଜିଲ୍ଲା ପ୍ରଶାସନଙ୍କୁ ସତର୍କ କରିଛନ୍ତି ଏସଆରସି ।