ବନ୍ୟା ସ୍ଥିତି ସମୀକ୍ଷା ପରେ ଏସଆରସିଙ୍କ ସୂଚନା; ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ

Published By : Prameya-News7 Bureau | October 14, 2018 IST

ଭୁବନେଶ୍ୱର ୧୪/୧୦ : ବନ୍ୟା ସ୍ଥିତି ସମୀକ୍ଷା ପରେ ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି ଏସଆରସି | ସେ କହିଛନ୍ତି, ଗଜପତି ଜିଲ୍ଲାକୁ ଆଉ ୩ଟି ଓଡ୍ରାଫ ଟିମ୍ ଓ ୨ଟି ଏନଡିଆରଏଫ ଟିମ୍ ପଠାଯିବ | ସବୁ ବିଭାଗୀୟ ମୁଖ୍ୟ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବେ | ପରିସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ସେମାନେ ସେହି ସ୍ଥାନରେ ରହିବେ | ସନ୍ଧ୍ୟା ସୁଦ୍ଧା ପାନୀୟ ଜଳ, ସ୍ବାସ୍ଥ୍ୟ, ବିଦ୍ୟୁତ ସରବରାହ ଠିକ କରିବାକୁ ଉଦ୍ୟମ ଚାଲିଛି ବୋଲି କହିଛନ୍ତି ଏସଆରସି | ଗଜପତି ବାରଘରରେ ପାହାଡ ଧଷିବା ଘଟଣାରେ ପ୍ରତିକ୍ରିୟା ରଖି ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କ ପୋଷ୍ଟମଟମ ସରିଛି | ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି | ଘଟଣାରେ ଆଉ କେତେଜଣ ନିଖୋଜ ଅଛନ୍ତି ସେନେଇ ତଦନ୍ତ ଚାଲିଛି | ଗଞ୍ଜାମ ଓ ରାୟଗଡାର ବନ୍ୟା ସ୍ଥିତିରେ ସୁଧାର ଆସିଛି | ବିଭିନ୍ନ ସ୍ଥାନରେ ବନ୍ୟା ଯୋଗୁଁ ଫସଲ ହାନି ହୋଇଛି | ସବିଶେଷ ରିପୋର୍ଟ ଆସିବା ପରେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି କହିଛନ୍ତି | ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳବାସୀଙ୍କୁ ରିଲିଫ ଯୋଗାଇ ଦେବେ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି | ଦିନକୁ ବୟସ୍କଙ୍କ ପିଛା ୬୦ ଟଙ୍କା ଓ ୧୨ ବର୍ଷରୁ କମ୍ ପିଲାଙ୍କୁ ୪୫ ଟଙ୍କାର ରିଲିଫ ଦିଆଯିବ | ପ୍ରଭାବିତ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଜିଲ୍ଲାପାଳମାନଙ୍କୁ ମଗାଯାଇଛି | ତଥ୍ୟ ଆସିବା ପରେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ | ବର୍ତ୍ତମାନ କେବଳ ରିଲିଫ କ୍ୟାମ୍ପରେ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ | ତେବେ ଯେତେଦିନ ପର୍ଯ୍ୟନ୍ତ ଆବଶ୍ୟକ ସେତେଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଏସଆରସି ବିଷ୍ଣୁପଦ ସେଠୀ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.