ଅସାନୀକୁ ନେଇ ଏସ୍‌ଆର୍‌ସିଙ୍କ ଜରୁରୀ ସୂଚନା, ପୁରୀ ଠାରୁ ୯୦ କିମି ଦୂରରେ ଅତିକ୍ରମ କରିବ ବାତ୍ୟା  

Published By : Prameya-News7 Bureau | May 08, 2022 IST

ଭୁବନେଶ୍ୱର,୦୮/୦୫: ବାତ୍ୟା ଅସାନୀକୁ ନେଇ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ବାତ୍ୟା ଅସାନୀ ଏବେ ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ପ୍ରାୟ ୯୨୦ କିମି ଦୂରରେ ରହିଛି। ୧୦ ତାରିଖ ସନ୍ଧ୍ୟା ସମୟରେ ବାତ୍ୟା ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବ। କିନ୍ତୁ ଏହା ସ୍ଥଳ ଭାଗ ଛୁଇଁବ ନାହିଁ। ସମୁଦ୍ର ମଧ୍ୟରେ ସମାନ୍ତରଳ ଭାବେ ଏହା ଉତ୍ତର ବଙ୍ଗୋପସାଗର ମୁହାଁ ହେବ। ପୁରୀ ଠାରୁ ଏହା ପ୍ରାୟ ୯୦ରୁ ୧୦୦ କିମି ଦୂରରେ ଅତିକ୍ରମ କରିବ ବୋଲି ଶ୍ରୀ ଜେନା କହିଛନ୍ତି।

ବାତ୍ୟା ଅତିକ୍ରମ କରିବା ବେଳେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୫୦ କିମି ପର୍ଯ୍ୟନ୍ତ ରହିବା ନେଇ ଆକଳନ କରାଯାଇଛି । ୧୦ ତାରିଖରେ ବାତ୍ୟା ଯୋଗୁ ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ସେହିପରି ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ୧୨ରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୧୧ ସେମି ଯାଏ ବର୍ଷା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି।

ସମୁଦ୍ର ଭିତରକୁ ଯାଇଥିବା ଓଡ଼ିଶାର ସମସ୍ତ ମାଛଧରା ଡଙ୍ଗା ଆଜି ସୁଦ୍ଧା ଫେରିଆସିଥିବା ସେ କହିଛନ୍ତି । ପ୍ରାୟ ୫୬ଟି ବୋଟ ସମୁଦ୍ର ମଧ୍ୟରେ ରହିଥିଲା। ସେହିପରି ଚିଲିକାରେ ଚଳାଚଳ କରୁଥିବା ୧୦୦୦ ବୋଟ ମଧ୍ୟରୁ ଅନେକ ଆଜି ଫେରି ଆସିଛନ୍ତି। କାଲି ବିଭାଗ ଏହା ଉପରେ ଗୁରୁତ୍ୱ ଦେଇ ସବୁ ଡଙ୍ଗାକୁ ଫେରାଇ ଆଣିବ।

ଗ୍ରୀଷ୍ମ କାଳରେ ବର୍ଷା ହେବ। ଏବେ ଖରା ଯୋଗୁ ନଦୀ ନାଳ ଓ ମାଟି ଶୁଖିଲା ରହିଛି। ତେଣୁ ବର୍ଷା ହେଲେ ମଧ୍ୟ ବନ୍ୟାର ଆଶଙ୍କା ନାହିଁ। ତଥାପି ଜିଲ୍ଲା ଓ ମନ୍ୟୁସିପାଲ ଅଧିକାରୀମାନଙ୍କୁ ପାଣି ଜମି ରହିବା ସମସ୍ୟା ଉପରେ ଦୃଷ୍ଟି ରଖିବାକୁ କହିଛୁ। ଦରକାର ପଡ଼ିଲେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି ସେ କହିଛନ୍ତି ।

ସତର୍କତା ସ୍ୱରୂପ ଗଞ୍ଜାମ ଜିଲ୍ଲାରେ ୨ଟି, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ସାତପଡ଼ା, ପୁରୀ, ଅସ୍ତରଙ୍ଗ-କୋଣାର୍କରେ ଗୋଟିଏ ଲେଖାଏ ଓଡ୍ରାଫ ଟିମ୍‌ ମୁତୟନ ହେବେ। ଏହାବାଦ ଜଗତସିଂହପୁରରେ ଗୋଟିଏ, କେନ୍ଦ୍ରାପଡ଼ାର ମହାକାଳପଡ଼ା ଓ ରାଜନଗରରେ ଗୋଟିଏ ଲେଖାଏ ଓଡ୍ରାଫ ଟିମ୍‌ ରହିବେ। ସେହିପରି ବାଲେଶ୍ୱରରେ ରହିଥିବା ଗୋଟିଏ ଏନଡିଆରଏଫ ୟୁନିଟ୍‌କୁ ମଧ୍ୟ ଆଲର୍ଟରେ ରଖାଯିବ ବୋଲି ଶ୍ରୀ ଜେନା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.