ଶ୍ରଦ୍ଧା ୱାକର ହତ୍ୟା ମାମଲା: ଚାର୍ଜସିଟ୍ ଦାଖଲ କଲା ଦିଲ୍ଲୀ ପୋଲିସ, କହିଲା ଅଫତାବ ପାର କରିଥିଲା ନୃଶଂସତାର ସମସ୍ତ ସୀମା
7/02/2023 at 8:54 PM

ନୂଆଦିଲ୍ଲୀ ୭।୨: ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ ମଙ୍ଗଳବାର କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ଅଭିଯୁକ୍ତ ଅଫତାବ ଅମିନ ପୁନାୱାଲା ନୃଶଂସତାର ସମସ୍ତ ସୀମା ଅତିକ୍ରମ କରିଥିବା ଦିଲ୍ଲୀ ପୋଲିସ ଦର୍ଶାଇଛି। ଶ୍ରଦ୍ଧାର ଶବକୁ ଅଭିଯୁକ୍ତ ଅଫତାବ ହତ୍ୟାର ୩ ମାସ ପରେ ଫିଙ୍ଗିଥିବା ଓ ପ୍ରମାଣ ନଷ୍ଟ କରିବାକୁ ତା ହାଡକୁ ମିକ୍ସିରେ ଗ୍ରାଇଣ୍ଡ କରି ଗୁଣ୍ଡ କରିଥିବା ପୋଲିସ ଚାର୍ଜସିଟ୍ରେ ଉଲ୍ଲେଖ କରିଛି।
ମାମଲାରେ ଦିଲ୍ଲୀ ପୋଲିସ ୬ହଜାର ୬୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ଶ୍ରଦ୍ଧାରୁ ଶବକୁ ଖଣ୍ଡବିଖଣ୍ଡିତ କରି ଫିଙ୍ଗିବା ପରେ ମୁମ୍ବାଇ ଯାଇ ତା ମୋବାଇଲ ଫୋନକୁ ଫିଙ୍ଗିଆସିଥିଲା ବୋଲି କୁହାଯାଇଛି। ଅଫତାବ ପୁନାୱାଲା ସହିତ ଶ୍ରଦ୍ଧା ଲିଭ ଇନ ପାର୍ଟନର ଭାବେ ରହୁଥିଲା। ତେବେ ଅଫତାବ ସହ ଶ୍ରଦ୍ଧା ଏକାଠି ରହିବା କଥାକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରିନଥିଲେ। ଏଣୁ ଏହାକୁ ବିରୋଧ କରୁଥିଲେ। ତେବେ ଶ୍ରଦ୍ଧା ପରିବାର ଲୋକଙ୍କ କଥାକୁ ଖାତିର କରୁନଥିଲା ଓ ପରିବାରଠାରୁ ଦୂରେଇ ଯାଇଥିଲା।

ଶ୍ରଦ୍ଧା ଓ ଅଫତାବ ଦିଲ୍ଲୀ ଛତରପୁର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ରହୁଥିଲେ। ଏଠାରେ ରହୁଥିବା ବେଳେ ମେ ୧୮ ତାରିଖ ଦିନ କୌଣସି କଥାକୁ ନେଇ ଅଫତାବ ଓ ଶ୍ରଦ୍ଧା ମଧ୍ୟରେ ଝଗଡା ହେବାରୁ ଅଫତାବ ତାକୁ ହତ୍ୟା କରିଥିଲା। ତେବେ ମାମଲା କେବଳ ହତ୍ୟାରେ ସୀମିତ ନଥିଲା। ଅଫତାବ ଶ୍ରଦ୍ଧାର ଶବକୁ କାଟି ୩୫ ଖଣ୍ଡ କରିଥିଲା ଓ ସେହି ଖଣ୍ଡଗୁଡିକୁ ଏକ ଫ୍ରିଜ କିଣି ସେଥିରେ ରଖିଥିଲା। ଯାହାକୁ କେତେ ସପ୍ତାହ ପର୍ଯ୍ୟନ୍ତ ମେହରୁଲିର ଜଙ୍ଗଲରେ ନେଇ ଫିଙ୍ଗିଥିଲା।
ପୋଲିସ ଶ୍ରଦ୍ଧାର ଶବରୁ ୨୦ଟି ଟୁକୁରା ପାଇଛି। ମାମଲାରେ ଗତବର୍ଷ ଶେଷ ବେଳକୁ ଅଫତାବର ପିଲଗ୍ରାଫ ଓ ନାରକୋ ଟେଷ୍ଟ କରାଯାଇଥିଲା। ଏଥିରେ ଅଫତାବ ହତ୍ୟା କରିଥିବା ସ୍ୱୀକାର କରିଛି। ତେବେ ପୋଲିସ ପଚରା ଉଚରାରେ ଶ୍ରଦ୍ଧା ହତ୍ୟା ଲାଗି ଅଫତାବର କୌଣସି ପଶ୍ଚାତାପ ନଥିବା ଜଣାପଡିଛି। ଶ୍ରଦ୍ଧା ହତ୍ୟାର ପାଖାପାଖି ୫ ମାସ ପରେ ପୋଲିସ ହତ୍ୟାକାଣ୍ଡର ସୁରାଗ ଖୋଜି କାଢିଥିଲା।