ପ୍ରାଣ ନେଉଛି ନକଲି ମଦ, ହରିୟାଣାରେ ୩ ଦିନରେ ଗଲାଣି ୨୦ରୁ ଅଧିକ ଜୀବନ
4/11/2020 at 9:46 PM

ରୋହତକ ୪/୧୧: ନକଲି ମଦ ନେଉଛି ଜୀବନ ! ବିଭିନ୍ନ ସମୟରେ ମଦ ମୃତ୍ୟୁ ମାମଲା ସାମ୍ନାକୁ ଆସୁଛି। ପୁଣି ହରିୟାଣାର ସୋନିପତରେ ଗତ ୨୪ ଘଣ୍ଟାରେ ନକଲି ମଦ ପାଇଁ ଗଲାଣି ୭ ଜଣଙ୍କ ଜୀବନ। ୩ ଦିନ ଭିତରେ ୨୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୋନିପତ ପୋଲିସ ପକ୍ଷରୁ ସୂଚନା ମିଳିଛି।
ସୋନିପତ ସହରରେ ଥିବା ମୟୁର ବିହାର, ଶାସ୍ତ୍ରୀ କଲୋନି, ପ୍ରଗତି କଲୋନି ଓ ଇଣ୍ଡିଆନ୍ କଲୋନିର ବୁଧବାର ଦିନ ୭ରୁ ଅଧିକ ମଦ ମୃତ୍ୟୁ ମାମଲା ଆସିଥିବା କହିଛନ୍ତି ଡିସିପି ବୀରେନ୍ଦ୍ର ସିଂହ। ଗତ ୨ ଦିନରେ ୧୪ରୁ ଅଧିକ ଲୋକେ ମୃତ୍ୟୁବରଣ କରିଥିବା ବେଳେ ସେମାନଙ୍କ ପରିବାର ପୋଲିସକୁ ସୂଚନା ନଦେଇ ଶବସତ୍କାର କରିଥିବା ମଧ୍ୟ ସେ କହିଛନ୍ତି। ପରେ ପୁଣି ୭ ଜଣଙ୍କ ମୃତ୍ୟୁ ହେବା ପରେ ସେମାନଙ୍କ ପରିବାର ସଦସ୍ୟ ପୋଲିସକୁ ସୂଚନା ଦେଇଥିଲେ।
ସେମାନଙ୍କ ମଧ୍ୟରୁ ୪ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ ରିପୋର୍ଟକୁ ଅପେକ୍ଷା ଥିବା ଡିସିପି କହିଛନ୍ତି। ତେବେ ସୋନିପତ ଡିସିପି ଓ ଏସପି ମୃତକଙ୍କ ପରିବାରକୁ ଭେଟିଥିବା ବେଳେ ସେମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ବୋଲି ଜଣାପଡ଼ିଛି। ଏହାସହ ପୋଲିସ ଗୋହାନା ରୋଡ୍ରେ ଥିବା ମଦ ଦୋକାନରେ ଚଢ଼ାଉ କରିବା ପରେ ସେଠାରୁ ଅପମିଶ୍ରିତ ମଦ ଜବତ ହୋଇଥିବା ସୂଚନା ମିଳିଛି।
ନକଲି ମଦ ପିଇ ଗୁରୁତର ହୋଇଥିବା ମହେନ୍ଦ୍ର ସିଂହ ନାମକ ଜଣେ ବ୍ୟକ୍ତିଙ୍କ ପାଖରୁ ବୟାନ ରେକର୍ଡ କରିଛି ପୋଲିସ। ମହେନ୍ଦ୍ରଙ୍କ କହିବା ଅନୁଯାୟୀ ସେ ନକଲି ମଦ ପାନ କରିବା ଦ୍ବାର ତାଙ୍କର ଛାତି ଯନ୍ତ୍ରଣା ହୋଇଥିଲା। ପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ତେଣୁ ଅନ୍ୟମାନଙ୍କ ମୃତ୍ୟୁ ନକଲି ମଦ ପାନ ଯୋଗୁଁ ହୋଇଥିବା ପୋଲିସ ସନ୍ଦେହ କରୁଛି। ତେବେ ଏହି ମାମଲାରେ ପୋଲିସ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ବୋଲି ଡିସି ଶ୍ୟାମ ଲାଲ ପୁନିଆ କହିଛନ୍ତି।