ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ(WFI)ର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ରେସଲରମାନଙ୍କ ଆନ୍ଦୋଳନକୁ ନେଇ କାର୍ଯ୍ୟାନୁଷ୍ଠାନ ହୋଇଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ WFIର ଅତିରିକ୍ତ ସଚିବ ବିନୋଦ ତୋମାରଙ୍କୁ ନିଲମ୍ବିତ କରିଛି। ଏପଟେ ନିଲମ୍ବନ ନେଇ ତାଙ୍କ ପାଖରେ କୌଣସି ସୂଚନା ନଥିବା ଶ୍ରୀ ତୋମାର କହିଛନ୍ତି।
ଗତକାଲି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଆନ୍ଦୋଳନରତ ରେସଲରମାନଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇଥିଲେ। ଏହି ବୈଠକ ପରେ ତୋମାରଙ୍କୁ ନିଲମ୍ବିତ କରାଯାଇଥିବା କୁହାଯାଉଛି। ତୋମାର WFI ଅଧ୍ୟକ୍ଷଙ୍କ ସହ ଅତି ନିକଟତର ଭାବେ କାମ କରୁଥିଲେ। ଏବଂ ସଂଘର ଦୈନିକ କାର୍ଯ୍ୟର ତଦାରଖ କରୁଥିଲେ।
ବିନୋଦଙ୍କୁ ନିଲମ୍ବିତ କରିବା ସହ ଉତ୍ତର ପ୍ରଦେଶ ଗୋଣ୍ଡାରେ ଆୟୋଜିତ ରାଙ୍କିଂ ଟୁର୍ଣ୍ଣାମେଣ୍ଟକୁ ରଦ୍ଦ କରିବା ପାଇଁ କ୍ରୀଡ଼ା ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ଟୁର୍ଣ୍ଣାମେଣ୍ଟ ରଦ୍ଦ କରିବା ସହ ଏଥିପାଇଁ ପ୍ରତିଯୋଗୀଙ୍କ ଠାରୁ ନିଆଯାଇଥିବା ଏଣ୍ଟ୍ରି ଫି ସବୁକୁ ଫେରାଇବାକୁ ମନ୍ତ୍ରାଳୟ WFI ନିର୍ଦ୍ଦେଶ ଦେଇଛି।
ଜାନୁଆରୀ ୧୮ ତାରିଖରେ ବିନେଶ ଫୋଗାଟ, ବଜରଙ୍ଗ ପୁନିଆ, ଶାକ୍ଷୀ ମଲ୍ଲିକଙ୍କ ଭଳି ଷ୍ଟାର୍ ରେସଲରମାନେ WFI ଅଧ୍ୟକ୍ଷଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ। WFI ଅଧ୍ୟକ୍ଷଙ୍କ ବିରୋଧରେ ଯୌନ ନିର୍ଯାତନାରେ ଅଭିଯୋଗ ଲଗାଇଥିଲେ ବିନେଶ ଫୋଗାଟ ଓ ଅଂଶୁ ମଲିକ। ମାମଲା ଗମ୍ଭୀର ବୋଲି କହି ଖେଳାଳିମାନଙ୍କୁ ଭେଟିଥିଲେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର।
ତେବେ ଶନିବାର WFI ପକ୍ଷରୁ ରେସଲରମାନଙ୍କ ଦ୍ୱାରା ଲଗାଯାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଥିଲା। ଅଭିଯୋଗ ଭିତ୍ତିହୀନ ଓ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି WFI କହିଛି।