ରେସଲରଙ୍କ ଧାରଣା: ଅଭିଯୋଗ ସଂଗୀନ, ଦିଲ୍ଲୀ ଯାଇ ଖେଳାଳିଙ୍କୁ ଭେଟିବି ବୋଲି କହିଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ
19/01/2023 at 9:44 PM

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ(WFI)ର ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତି ଯୋଦ୍ଧାଙ୍କ ବିକ୍ଷୋଭ ଏବେ ଦେଶର ଟପ୍ ଖବର ପାଲଟିଛି। ମାମଲା ଏବେ କ୍ରୀଡ଼ାମନ୍ତ୍ରାଳୟ ପାଖରେ ପହଞ୍ଚିଛି। ଘଟଣାରେ ମନ୍ତ୍ରାଳୟ ପକ୍ଷରୁ WFI ଅଧ୍ୟକ୍ଷଙ୍କୁ ନୋଟିସ୍ କରି ୭୨ ଘଣ୍ଟା ମଧ୍ୟରେ ସ୍ପଷ୍ଟୀକରଣ ମଗାଯାଇଛି। ତେବେ ମାମଲାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର। WFI ଅଧ୍ୟକ୍ଷଙ୍କ ବିରୋଧରେ ଲାଗିଥିବା ଅଭିଯୋଗ ସଂଗୀନ। ତେଣୁ ଦିଲ୍ଲୀ ଯାଇ ଆନ୍ଦୋଳନରତ ରେସଲରଙ୍କୁ ଭେଟିବେ ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନା ଅନୁସାରେ ଅନୁରାଗ ଠାକୁର ଏକ ସରକାରୀ କାର୍ଯ୍ୟକ୍ରମରେ ହମିରପୁରରେ ଅଛନ୍ତି। ଆଜି ଦ୍ୱିତୀୟ ଦିନ ପାଇଁ କୁସ୍ତିଯୋଦ୍ଧାମାନେ WFI ଅଧ୍ୟକ୍ଷଙ୍କ ବିରୋଧରେ ଜାରି ରଖିଛନ୍ତି। ଏହି ଆନ୍ଦୋଳନକୁ ବିଭିନ୍ନ ବର୍ଗରୁ ସମର୍ଥନ ମିଳୁଛି।
ଏହି ଖବରକୁ ପଢ଼ନ୍ତୁ- ସିପିଆଇଏମ୍ ନେତ୍ରୀ ବୃନ୍ଦା କରାତଙ୍କୁ ଷ୍ଟେଜ୍ରୁ ଚାଲିଯିବାକୁ କହିଲେ ବଜରଙ୍ଗ ପୁନିଆ, କହିଲେ- ରାଜନୈତିକ ପ୍ରସଙ୍ଗ ବନାନ୍ତୁ ନାହିଁ
ଏହି ଅନ୍ଦୋଳନରେ ବିନେଶ ଫୋଗାଟ, ରବି କୁମାର ଦହିଆ, ବଜରଙ୍ଗ ପୁନିଆ, ଏବଂ ଶାକ୍ଷୀ ମଲ୍ଲିକ ସାମିଲ୍ ହୋଇଛନ୍ତି। WFI ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି। ସେ ମହିଳା ରେସଲରମାନଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି ବୋଲି ଗତକାଲି ବିନେଶ ଫୋଗାଟ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଲକ୍ଷ୍ନୌନ ଜାତୀୟ କ୍ୟାମ୍ପରେ କିଛି ମହିଳା ଖେଳାଳିଙ୍କୁ କୋଚ୍ ଓ ଅଧ୍ୟକ୍ଷ ନିର୍ଯାତନା ଦେଇଥିଲେ ବୋଲି ଫୋଗାଟ ମିଡିଆ ଆଗରେ କହିବା ସହିତ କାନ୍ଦି ପକାଇଥିଲେ।
ତେବେ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ। WFI ଅଧ୍ୟକ୍ଷଙ୍କୁ ପଦରୁ ହଟାଇବା ସହ WFI ଅନେକ ରାଜ୍ୟ କୁସ୍ତି ସଂଘ ସହିତ ମିଶିବ ବୋଲି ସେମାନେ ଦାବି କରିଛନ୍ତି।

କଣ କହିଲେ କ୍ରୀଡ଼ାମନ୍ତ୍ରୀ ?
ଆନ୍ଦୋଳନକୁ ନେଇ ଗୁରୁବାର କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କହିଛନ୍ତି “ ଦିଲ୍ଲୀ ଫେରିବା ପରେ ମୁଁ ଖେଳାଳିମାନଙ୍କୁ ଭେଟିବି। ଅଭିଯୋଗ ସଂଘାତିକ। ଏହି ଘଟଣାରେ ଯାହା ପଦକ୍ଷେପ ନେଇ ହେବ ଆମେ ନେବୁ।” ତେବେ କେନ୍ଦ୍ରମନ୍ତ୍ରୀ ଖେଳାଳିମାନଙ୍କୁ ତାଙ୍କ ବାସଭବନରେ ଯାଇ ଭେଟିପାରନ୍ତି ବୋଲି ଶୁଣିବାକୁ ମିଳୁଛି।
ଅନ୍ୟପଟେ ବ୍ରିଜ ଭୂଷଣ ଶରଣ ସିଂହ କିନ୍ତୁ ରେସଲରମାନଙ୍କର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅଭିଯୋଗ ଯଦି ସତ୍ୟ ପ୍ରମାଣିତ ହୁଏ ତେବେ ସେ ନିଜକୁ ଫାଶୀରେ ଝୁଲାଇ ଦେବେ ବୋଲି ଶରଣ ସିଂହ କହିଛନ୍ତି।
ଅନ୍ୟପଟେ ବିଜେପି ନେତା ତଥା ତୃତୀୟ ଥର ପାଇଁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିବା ବବିତା ଫୋଗାଟ୍ ଆଜି ରେସଲରଙ୍କୁ ଭେଟି ଆଶ୍ୱାସନ ଦେଇଛନ୍ତି। ସରକାର ରେସଲରମାନଙ୍କ ସହ ରହିଛନ୍ତି। ଖୁବ୍ଶୀଘ୍ର ଏହାର କିଛି ସମାଧାନ ହେବ ବୋଲି ସେ କହିଛନ୍ତି।

ରେସଲରଙ୍କୁ ଡାକି ଆଲୋଚନା କଲେ ସରକାର
ତେବେ ଏହି ଘଟଣାରେ ରେସରରଙ୍କର ଏକ ଟିମକୁ ଆଲୋଚନା ପାଇଁ ଡକାଇଥିଲା କ୍ରୀଡ଼ା ମନ୍ତ୍ରାଳୟ। ଏହି ଟିମ୍ରେ ବଜରଙ୍ଗ ପୁନିଆ, ବିନେଶ ଫୋଗାଟ, ଅଂଶୁ,ଶାକ୍ଷୀ ମଲିକ ଏବଂ ତାଙ୍କ ସ୍ୱାମୀ ସତ୍ୟବ୍ରତ କଡିୟାନ ଥିଲେ। କ୍ରୀଡ଼ା ସଚିବ ସୁଜାତା ଚୁତୁର୍ବେଦୀ, ଡାଇରେକ୍ଟର ଜେନେରାଲ ସାଇ ସନ୍ଦୀପ ପ୍ରଧାନ ଏବଂ ଯୁଗ୍ମ ସଚିବ(କ୍ରୀଡ଼ା) କୁନାଲଙ୍କ ସହ ଆଲୋଚନା କରିଥିଲେ। ତେବେ ଏହି ଆଲୋଚନା ଫଳପ୍ରଦ ହେଲାନି ବୋଲି ରେସଲରମାନେ କହିଛନ୍ତି।
ଏକ ଘଣ୍ଟା ପାଇଁ ଏହି ବୈଠକ ହୋଇଥିଲା। ଏଥିରେ ଅଭିଯୋଗର ଶୁଣାଣି କରି ସମାଧାନ କରାଯିବ। ତେଣୁ ଧାରଣା ବନ୍ଦ କରିବାକୁ ଖେଳାଳିମାନଙ୍କୁ ଅନୁରୋଧ କରିଥିଲେ ସରକାରୀ ଅଫିସର। ତେବେ ବୈଠକ ନିରାଶାବାଦୀ ରହିଥିଲା ବୋଲି ରେସଲରମାନେ କହିଛନ୍ତି।
WFI ଡାକିଲା ଜରୁରିକାଳୀନ କାଉନସେଲିଂ ବୈଠକ
ସୂଚନା ଥାଉକି ଘଟଣାକୁ ନେଇ WFI ଏକ ଜରୁରିକାଳୀନ କାଉନସେଲିଂ ବୈଠକ ଡାକିଛି। ଜାନୁଆରୀ ୨୨ ତାରିଖରେ ଏହି ବୈଠକ ହେବ। ଏଥିରେ ବ୍ରିଜ ଭୂଷଣ ଇସ୍ତଫା ଦେଇପାରନ୍ତି ଓ ତାଙ୍କୁ ପୁନଃ ଲଢ଼େଇ ପାଇଁ ଅଯୋଗ୍ୟ ଘୋଷଣା କରାଯାଇପାରେ ବୋଲି କୁହାଯାଉଛି। ୨୦୧୧ ପରଠାରୁ ବ୍ରିଜ ଭୂଷଣ WFI ଅଧ୍ୟକ୍ଷ ନିର୍ବାଚିତ ହୋଇ ଆସୁଛନ୍ତି। ୨୦୧୯ରେ ସେ ତୃତୀୟ ଥର ପାଇଁ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ।
