ଶହେ ଧନୀ ଖେଳାଳୀଙ୍କ ମଧ୍ୟରେ ଭାରତର ଜଣେ କ୍ରିକେଟ୍‌ର, ନମ୍ୱର ୧ରେ ବାସ୍କେଟବଲ୍‌ ପ୍ଲେୟାର

Published By : Prameya-News7 Bureau | December 01, 2022 IST

ନୂଆଦିଲ୍ଲୀ, ୦୧/୧୦: କ୍ରିକେଟ୍‌ ହେଉ କି ଫୁଟ୍‌ବଲ୍‌, ଏହି ଖେଳ ସହିତ ଜଡ଼ିତ ଖେଳାଳୀ କେବଳ ମଇଦାନ୍‌ରେ କମାଲ୍‌ ଦେଖାନ୍ତିନି, ଏଥିସହିତ ସେମାନଙ୍କର ରୋଜଗାର ମଧ୍ୟ ଅଶ୍ଚର୍ଯ୍ୟ କରିଦେଲା ଭଳି । କିଛି ଏପରି ଖେଳାଳୀ ଅଛନ୍ତି ଯେଉଁମାନେ କି ବଡ଼ ବଡ଼ କମ୍ପାନୀ ମାନଙ୍କ ଠାରୁ ଅଧିକ ରୋଜଗାର କରୁଛନ୍ତି । କିନ୍ତୁ କିଛି ଦେଶରେ କ୍ରିକେଟ୍‌କୁ ଦର୍ଶକ ଅଧିକ ପସନ୍ଦ କରୁଥିବା ବେଳେ ଆଉ କିଛି ଫୁଟ୍‌ବଲ୍‌ ପ୍ରେମରେ ପାଗଳ । ହେଲେ ଦୁନିଆର ସବୁଠାରୁ ଅଧିକ ରୋଜଗାର କରୁଥିବା ଖେଳାଳୀଙ୍କ ନମ୍ୱର ୧ ସ୍ଥାନରେ ଏହି ଦୁଇ ଖେଳରୁ ନୁହେଁ ବରଂ ବାସ୍କେଟ୍‌ବଲ୍‌ ଖେଳାଳୀ ଥିବା ଜଣାପଡ଼ିଛି । ଯିଏକି ଲିଓନେଲ୍‌ ମେସି ଏବଂ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭଳି ଖେଳାଳୀଙ୍କୁ ବି ପଛରେ ପକାଇ ଦେଇଛନ୍ତି ।

ନିକଟରେ ସ୍ପୋର୍ଟିକୋ ପକ୍ଷରୁ ଅଧିକ ଆୟ କରୁଥିବା ଶହେ ଖେଳାଳୀଙ୍କ ଲିଷ୍ଟ୍‌ ଜାରି ହୋଇଛି । ଯେଉଁଥିରେ ଆଗପଛ ହୋଇ ଲିଓନେଲ୍‌ ମେସି ଏବଂ କ୍ରିଷ୍ଟିଆନୋ ରୋନାଲ୍ଡୋ ପଛରେ ରହିଛନ୍ତି । ଦୁହେଁ କ୍ରାମାଗତ ଭାବେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ଏହି ଲିଷ୍ଟର ପ୍ରଥମ ସ୍ଥାନରେ ବାସ୍କେଟ୍‌ବଲ୍‌ ଆଇକନ୍‌ ଲେବ୍ରୋନ ଜେମ୍ସଙ୍କ ନାମ ରହିଛି । ବର୍ଷକ ମଧ୍ୟରେ ୧୨୬.୯ ମିଲିୟନ୍‌ ଡଲାର୍‌ ଆୟ କରି ସେ ଦୁନିଆର ସବୁଠାରୁ ଧନୀ ଖେଳାଳୀ ହୋଇଛନ୍ତି । ନାଇକ୍‌, ପେପ୍ସିକୋ, ୱାଲ୍‌ମାର୍ଟ, ଏଟି ଆଣ୍ଡ ଟି ଏବଂ ଇଭେନ୍‌ କ୍ରିପ୍ଟୋ. କମ୍‌ ଭଳି କମ୍ପାନୀ ମାନଙ୍କ ଠାରୁ ତାଙ୍କୁ ତାଙ୍କ ଆୟର ଅଧିକ ଭାଗ ମିଳିଥାଏ ।

ସ୍ପୋର୍ଟିକୋର ଏହି ଲିଷ୍ଟ୍‌ରେ ୧୨୨ ମିଲିୟନ୍‌ ଡଲାର୍‌ ଆୟ ସହ ମେସି ଦ୍ୱିତୀୟ ଏବଂ ୧୧୫ ମିଲିୟନ୍ ଡଲାର୍‌ ସହ ରୋନାଲ୍ଡୋ ତୃତୀୟ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ଏହି ଲିଷ୍ଟ୍‌ରେ କ୍ରିକେଟ୍‌ରୁ ଜଣେ ମାତ୍ର ଖେଳାଳୀଙ୍କ ନାମ ରହିଛି । ଭାରତୀୟ ଦଳର କ୍ରିକେଟର୍‌ ବିରାଟ କୋହଲି ଏହି ଲିଷ୍ଟ୍‌ରେ ସ୍ଥାନ ପାଇଛନ୍ତି । ୩୩.୯ ମିଲିୟନ୍‌ ଡଲାର୍‌ ଆୟ ସହ ସେ ଲିଷ୍ଟର୍‌ ୬୧ ନମ୍ୱର ସ୍ଥାନରେ ରହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.