ସିଦ୍ଧରମେୟା ନା ଶିବକୁମାର, କିଏ ହେବ ମୁଖ୍ୟମନ୍ତ୍ରୀ ? ବୁଧବାର ସସ୍‌ପେନ୍ସରୁ ହଟିବ ପରଦା, ନାଁ ଘୋଷଣା କରିବେ ଖଗ୍‌ଡେ

Published By : Prameya-News7 Bureau | May 17, 2023 IST

ନୂଆଦିଲ୍ଲୀ: କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ? ସିଦ୍ଧରମେୟା ନା ଡିକେ ଶିବକୁମାର ? ସସପେନ୍ସ ଏବେବି ଜାରି ରହଛି । ନିର୍ବାଚନ ଫଳ ବାହାରିବା ଦିନ ଠାରୁ କଂଗ୍ରେସରେ ତୁହାକୁ ତୁହା ଚାଲିଛି ବୈଠକ । ହାଇକମଣ୍ଡ ଓ ବରିଷ୍ଠ ନେତୃତ୍ବଙ୍କ ମଧ୍ୟରେ ଆଲୋଚନା ଚାଲିଛି । ହେଲେ ଏବେବି ଚୂଡ଼ାନ୍ତ ନିଷ୍ପତ୍ତି ନେବାରେ କାଳବିଳମ୍ବ କରୁଛି ଦଳ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସିଦ୍ଧରମେୟା ଓ ଡିକେ ଶିବକୁମାର ଦୌଡ଼ରେ ରହିଛନ୍ତି ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଗତକାଲି ଦିଲ୍ଲୀରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏବଂ କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାରଙ୍କ ସହିତ ପୃଥକ ପୃଥକ ଭାବେ ରୁଦ୍ଧଦ୍ବାର ବୈଠକ କରିଛନ୍ତି । ତେବେ ଆଜି କଂଗ୍ରେସ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରିବ ବୋଲି କୁହାଯାଉଛି ।

ବୁଧବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଗଡେ କର୍ଣ୍ଣାଟକ ବରିଷ୍ଠ ନେତାଙ୍କ ମତାମତ ନେବା ପରେ ରାହୁଲ ଗାନ୍ଧି ଓ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରିବେ। ପରେ ସଭାପତି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରିବେ । ଆଜି ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜାରି ରହିଥିବା ସସପେନ୍ସ ହଟିଯିବ ବୋଲି କୁହାଯାଉଛି।

ଅଧିକାଂଶ ବିଧାୟକ ସିଦ୍ଧରମେୟାଙ୍କୁ ସମର୍ଥନ କରୁଥିବା କୁହାଯାଉଥିବା ବେଳେ, ପିସିସି ସଭାପତି ଡି.କେ. ଶିବକୁମାରଙ୍କ ଗୋଷ୍ଠୀଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନି ଦଳ। ତେବେ ରାହୁଲ ଗାନ୍ଧି ଏବଂ ଏଆଇସିସି ସାଧାରଣ ସଚିବ କେସି ବେଣୁଗୋପାଳ ସିଦ୍ଦରମେୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରୁଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.