କରୋନା ଭ୍ୟାକ୍ସିନ୍ ପରିବହନରେ ସହାୟତା କରିବ ସ୍ପାଇସ୍ ଜେଟ୍, ନିୟୋଜିତ କରିବ କାର୍ଗୋ ବିମାନ
2/12/2020 at 8:06 PM

ମୁମ୍ବାଇ ୦୨/୧୨: କରୋନା ମହାମାରୀ ପାଇଁ ବିଶ୍ବ ଚିନ୍ତାରେ। ଏଭଳି ପରିସ୍ଥିତିରେ ଯଦିଓ କିଛି ଦେଶ କରୋନ ଭ୍ୟାକସିନ୍ ପ୍ରସ୍ତୁତ କରୁଥିବା ଦାବି କରୁଛନ୍ତି ଏହି ସବୁ ଟିକା ପରିବହନ ଏବେ ଚିନ୍ତାର କାରଣ ପାଲଟିଛି। ଏହାରି ଭିତରେ ସ୍ପାଇସ୍ ଜେଟ୍ କରୋନା ଟିକା ପରିବହନ ପାଇଁ ଲଜିଷ୍ଟିକ୍ ସହାୟତା ଯୋଗାଇବାକୁ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି। ସ୍ପାଇସ୍ ଏକ୍ସପ୍ରେସ୍ ସେବା ମାଧ୍ୟମରେ ଅତ୍ୟନ୍ତ ସମ୍ବେଦନତାର ସହ କରୋନା ଟିକା ପରିବହନ କରିବ ବୋଲି ବୁଧବାର କମ୍ପାନୀ ପକ୍ଷରୁ କୁହାଯାଇଛି।
ଏହି ସେବା ମାଧ୍ୟମରେ ମାଇନସ୍ ୪୦ ଡିଗ୍ରିରୁ ୨୫ ଡିଗ୍ରି ସେଲସିୟସ୍ ତାପାମାତ୍ରାରେ ଟିକା ପରିବହନ କରିପାରିବାର ସୁବିଧା ରହିବ। ତେବେ କରୋନା ପାଇଁ ଲାଗିଥିବା ଲକ୍ଡାଉନ୍ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ଜିନିଷ ବିଶେଷ କରି ମେଡିକାଲ୍ ଉପକରଣ ପରିବହନ କରିବାରେ ବିଶ୍ବରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ସ୍ପାଇସ୍ ଏକ୍ସପ୍ରେସ୍। ଏବେ ଟିକା ପରିବହନ ପାଇଁ ପ୍ରସ୍ତୁତି ଚାଲିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।
ସ୍ପାଇସ୍ ଏକ୍ସପ୍ରେସ୍ ସେବା ପାଇଁ ୧୭ଟି କାର୍ଗୋ ବିମାନ ରହିଛି। ମାର୍ଚ୍ଚରେ ଲକ୍ଡାଉନ୍ ଆରମ୍ଭ ହେବା ପାଖରୁ ସ୍ପାଇସ୍ ଜେଟ୍ ୮୫ ହଜାର ଟନ୍ ବସ୍ତୁ ପରିବହନ କରିଛି। ଏୟାର ଲାଇନ୍ସର ଅନ୍ତର୍ଜାତୀୟ କାର୍ଗୋ ନେଟଓ୍ବାର୍କ ଆମେରିକା, ବ୍ରିଟେନ୍, ଋଷ, ଜର୍ମାନୀ, ଫ୍ରାନ୍ସ, ଉଜବେକିସ୍ତାନ, ୟୁଏଇ, ସାଉଦି ଆରବ, ସାଉଦି ଆରବ, ମ୍ୟାନମାର, ଜାପାନ, ମାଲେସିଆ, ସିଙ୍ଗାପୋର ଓ କାନାଡା ସମେତ ୫୦ ଦେଶରେ ରହିଛି।