ଏବେ ଉଡାଣ ବେଳେ ବିମାନରେ ବ୍ୟବହାର କରିପାରିବେ ଇଣ୍ଟରନେଟ୍, ଖୁବ୍ ଶୀଘ୍ର ଏହି ଏୟାରଲାଇନ୍ ଆରମ୍ଭ କରିବ ସେବା

Published By : Prameya-News7 Bureau | May 24, 2022 IST

ନୂଆଦିଲ୍ଲୀ ୨୪।୫: ସାରା ବିଶ୍ବରେ ଅଧିକ ଡାଟା ବ୍ୟବହାର କରୁଥିବା ଦେଶ ହେଉଛି ଭାରତ । ଇଣ୍ଟରନେଟ୍ ସେବା ଦେଶର କୋଣ ଅନୁକୋଣରେ ପହଞ୍ଚିବା ପରେ ଡାଟା ବ୍ୟବହାର ବଢିଯାଇଛି । କିନ୍ତୁ ଏବେ ବି ଆକାଶରେ ଇଣ୍ଟରନେଟ୍ ବ୍ୟବହାର ପରିପାରୁନି ଭାରତ । ମାତ୍ର ଆଗାମୀ ଦିନରେ ଭାରତୀୟ ଆକାଶରେ ମଧ୍ୟ ଇଣ୍ଟରନେଟ୍ ବ୍ୟବହାର କରିପାରିବେ । ଏକ ପ୍ରମୁଖ ଭାରତୀୟ ଏୟାରଲାଇନ୍ ସ୍ପାଇସ୍ ଜେଟ୍ କହିଛି ଯେ, ଖୁବ୍ ଶୀଘ୍ର ତା ବିମାନରେ ବ୍ରଡବ୍ୟାଣ୍ଡ ସେବା ଉପଲବ୍ଧ କରାଇବାର ଆଶା କରାଯାଉଛି ।

ସ୍ପାଇସ୍ ଜେଟ୍‌ର ଚେୟାରମ୍ୟାନ ଅଜୟ ସିଂହ କହିଛନ୍ତି ଯେ, ଏୟାରଲାଇନ୍ ତାର ବିମାନରେ ଖୁବ୍ ଶୀଘ୍ର ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଆରମ୍ଭ କରିବ । ସେ ଆହୁରି କହିଛନ୍ତି ଯେ, କମ୍ପାନୀ ଆଗାମୀ କିଛି ମାସ ମଧ୍ୟରେ ନିଜ ବିମାନରେ ବୋଇଂ-୭୩୭ ମ୍ୟାକ୍ସ ବିମାନକୁ ସାମିଲ କରିବ । ସ୍ପାଇସଜେଟ୍‌ର ଓ୍ବେବସାଇଟ୍ ଅନୁସାରେ ଏୟାରଲାଇନ୍ ନିକଟରେ ୯୨ଟି ବିମାନ ରହିଛି । ଯେଉଁଥିରେ ୧୩ ମ୍ୟାକ୍ସ ବିମାନ ଏବଂ ୪୬ ବୋଇଂ-୭୩୭ ବିମାନ ପୁରୁଣା ଭର୍ସନ ରହିଛି ।

ସେ ଆହୁରି କହିଛନ୍ତି ଯେ, ସ୍ପାଇସଜେଟ୍ ମାସିକ ଆଧାରରେ ଅଧିକ ଯାତ୍ରୀଙ୍କ ସହ ଉଡାଣ ଭରୁଛି । ଆଗାମୀ ମାସରେ ଏଥିରେ ବୃଦ୍ଧି ହେବାର ଆଶା କରାଯାଉଛି । ବୋଇଂ ୭୩୭ ମ୍ୟାକ୍ସ ବିମାନ ସଫଳତାର ସହ ସେବାକୁ ଫେରିଛି । ଏଥିପାଇଁ ଯାତ୍ରୀମାନଙ୍କର ଭଲ ପ୍ରତିକ୍ରିୟା ମଧ୍ୟ ରହିଛି । ଆଗାମୀ କିଛି ମାସରେ ଏୟାରଲାଇନ୍‌ ସବୁ ପୁରୁଣା ବିମାନକୁ ମ୍ୟାକ୍ସରେ ପରିବର୍ତ୍ତନ ସହ ଆଉ କିଛି ମ୍ୟାକ୍ସ ବିମାନ ସାମିଲ କରିବାର ଯୋଜନା ରହିଛି ।

ସେ କହିଛନ୍ତି ଯେ, ଚଳିତ ବର୍ଷ ଆମ ନେଟଓ୍ବର୍କରେ ନୂଆ ଉତ୍ପାଦ ଏବଂ ନୂଆ ମାର୍ଗକୁ ସାମିଲ କରିବାକୁ ଯାଉଛୁ । ଆମ ଲୟାଲଟି କାର୍ଯ୍ୟକ୍ରମ ସ୍ପାଇସ୍‌କ୍ଲବ୍ ନିକଟରେ ତାର ସହ-ବ୍ରାଣ୍ଡେଡ କ୍ରେଡିଟ୍ କାର୍ଡ ଜାରି କରିଛି । ଆମେ ଆଶା କରୁଛୁ ଯେ ଖୁବ୍ ଶୀଘ୍ର ଆମ ବିମାନରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଆରମ୍ଭ ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.