ରନଓ୍ବେରୁ ଖସିଲା ସ୍ପାଇସ୍ ଜେଟ୍ ବିମାନ, ପାଇଲଟଙ୍କୁ ଓହ୍ଲାଇଦେଲେ ଡିଜିସିଏ, ତଦନ୍ତ ଆରମ୍ଭ
5/12/2020 at 8:36 PM

ନୂଆଦିଲ୍ଲୀ ୦୫/୧୨: ଶୁକ୍ରବାର ଗୌହାଟି ଏୟାରପୋର୍ଟରେ ଅବତରଣ ବେଳେ ଏକ ସ୍ପାଇସ୍ଜେଟ୍ ବିମାନ ରନଓ୍ବେ ତଳକୁ ଖସିଯାଇଥିଲା। ଏହି ଅଘଟଣରେ କେହି ମୃତାହତ ହୋଇନଥିବା ବେଳେ ସେଥିରେ ଥିବା ଦୁଇ ପାଇଲଟଙ୍କୁ ଓହ୍ଲାଇ ଦେବା ସହ ଯାଞ୍ଚ ନିର୍ଦେଶ ଦେଇଛି ଡିଜିସିଏ। ତଦନ୍ତ ନସିରିବା ଯାଏ ବିମାନ ଉଡ଼ାଣ କରିପାରିବେ ନାହିଁ ପାଇଲଟ୍।
ଏସଜି୯୬୦ ବିମାନ ଚଳାଇବାକୁ ଦୁଇ ପାଇଲଟଙ୍କୁ ବାରଣ କରିଛି ଡିଜିସିଏ। ଏନେଇ ଡିଜିସିଏର ଜଣେ ଅଧିକାରୀ ଶନିବାର ସୂଚନା ଦେଇଛନ୍ତି। ଦୁଇ ପାଇଲଟଙ୍କୁ ଅଟକ ରଖାଯାଇଥିବା ବେଳେ ଘଟଣା ତଦନ୍ତ ଚାଲିଥିବା ସେ କହିଛନ୍ତି। ଅବତରଣ ବେଳେ ସ୍ଥିରୀକୃତ ପଏଣ୍ଟରୁ ବିମାନ ଘୁଞ୍ଚିଯାଇଥିଲା। କିନ୍ତୁ ଏଥିରେ କୌଣସି ଯାତ୍ରୀ ପ୍ରଭାବିତ ହୋଇନଥିବା ଜଣାପଡ଼ିଛି।
ଅନ୍ୟପଟେ ରନଓ୍ବେରେ ଲାଗିଥିବା ଅଧିକାଂଶ ଲାଇଟ୍ ଖରାପ ହୋଇଯାଇଥିଲା ବୋଲି ସୂଚନା ମିଳିଥିବା ବେଳେ ଏହି ଘଟଣା ସମ୍ପର୍କରେ ସ୍ପାଇସ୍ଜେଟ୍ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ। ତେବେ ବିମାନରେ କେତେ ଜଣ ଯାତ୍ରୀ ଥିଲେ ତାହା ଜଣାପଡ଼ି ନାହିଁ।