ସୁଧଘର ଭୋଜିରେ ପଶିଗଲା ଦ୍ରୁତଗାମୀ କାର, ୧୮ ଆହତ
27/11/2022 at 8:53 AM

ସାରଣ ୨୭।୧୧: ବିହାର ସାରଣ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା, ସୁଧଘର ଭୋଜିରେ ପଶିଗଲା ଦ୍ରୁତଗାମୀ କାର। ଫଳରେ ଭୋଜି ଖାଉଥିବା ୧୮ ଜଣ ଲୋକ ଆହତ ହୋଇଥିବା ବେଳେ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଆଖି ପିଛୁଳାକେ ଘଟିଥିଲା। କେହି କିଛି ବୁଝିବା ଆଗରୁ କାର ଭୋଜିସଭା ଛାରଖାର କରି କିଛି ଦୂରରେ ଓଲଟି ପଡିଥିଲା। ପୋଲିସ କାରକୁ ଜବତ କରି ଡ୍ରାଇଭରର ସନ୍ଧାନ ଜାରି ରଖିଛି।
ତେର ଦିନରେ ଅନୁଷ୍ଠିତ ମୃତ୍ୟୁ ଭୋଜ ଚାଲିଥିବା ବେଳେ ଏବି ଦୁର୍ଘଟଣା ଘଟିଛି। କାରଟି ରାସ୍ତକଡରେ ଥିବା ଏକ ଦୋକାନରେ ପିଟି ହୋଇ ଭୋଜି ସଭାକୁ ପଶି ଯାଇଥିଲା। ଲୋକେ ତୁରନ୍ତ ଦୁର୍ଘଟଣା ନେଇ ପୋଲିସକୁ ସୂଚିତ କରିବା ସହ ଆମ୍ବୁଲାନ୍ସ ଡକାଇଥିଲେ । ଆମ୍ବୁଲାନ୍ସ ପହଞ୍ଚି ଲୋକଙ୍କୁ ହସ୍ପିଟାଲ ପହଞ୍ଚାଇଛି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଜଟିଳ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।