କାଉଡିଆଙ୍କୁ ଚାପି ଦେଲା ଦ୍ରୁତଗାମୀ ଆମ୍ବୁଲାନ୍ସ; ଚାଲିଗଲା ୨ ଜୀବନ, ୩ ଆହତ

Published By : Prameya-News7 Bureau | July 20, 2025 IST

ନୂଆଦିଲ୍ଲୀ ୨୦।୦୭; ୟୁପିର ଗାଜିୟାବାଦରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । କାଉଡିଆଙ୍କୁ ଚାପି ଦେଲା ଦ୍ରୁତଗାମୀ ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଗମ୍ଭୀର ଭାବରେ ଆହତ ହୋଇଛନ୍ତି । ଯେଉଁ ହସ୍ପିଟାଲର ଆମ୍ବୁଲାନ୍ସ ଦୁର୍ଘଟଣା ଘଟାଇଛି ତାହା ମୋଦିନଗରର ବିଜେପି ବିଧାୟକ ମଞ୍ଜୁ ସିୱାଚଙ୍କ ସ୍ୱାମୀଙ୍କର ବୋଲି ସୂଚନା ମିଳିଛି ।

ସୂଚନାନୁଯାୟୀ, ଦିଲ୍ଲୀ-ମରାଠୀ ନିକଟସ୍ଥ କାଦରାବାଦରେ ଦୁର୍ଘଟଣା ଘଟିଥିଲା । ପାଣି ଆଣିବାକୁ ୫ ଜଣ ହରିଦ୍ବାର ଯାଉଥିବା ସମୟରେ ଏପରି ଅଘଟଣ ଘଟିଥିଲା । ସ୍କୁଟି ଏବଂ ବାଇକରେ ଯାଉଥିବା ୨ ଜଣ କାଉଡିଆଙ୍କୁ ଆମ୍ବୁଲାନ୍ସ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିଲା । ଏଥି ସମତେ ଆମ୍ବୁଲାନ୍ସ ଧକ୍କାରେ ଅନ୍ୟ ୩ଜଣ ମଧ୍ୟ ଆହତ ହୋଇଥିଲେ । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଚିକିତ୍ସା ପାଇଁ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ ।

ଅନ୍ୟପଟେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହା ସହିତ ଆମ୍ବୁଲାନ୍ସକୁ ମଧ୍ୟ ନିଜ ହେପାଜତକୁ ନେଇଥିଲା । ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସଟି ଜୀବନ ହସ୍ପିଟାଲର ମୋଦିନଗରର ବିଜେପି ବିଧାୟକ ଡକ୍ଟର ମଞ୍ଜୁ ସିୱାଚଙ୍କ ସ୍ୱାମୀ ଦେବେନ୍ଦ୍ର ସିୱାଚଙ୍କର ବୋଲି ଜଣାପଡିଛି । ଏସିପି ମୋଦିନଗର ଜ୍ଞାନ ପ୍ରକାଶ ରାୟ ଏବଂ ପୋଲିସ ଷ୍ଟେସନ ଇନଚାର୍ଜ ମୋଦିନଗର ନରେଶ ଶର୍ମା ପୋଲିସ ଫୋର୍ସ ସହିତ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.