କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ନେଇ ଚର୍ଚ୍ଚା ଜୋର, ଜାନୁଆରୀରେ ବଡ଼ ପରିବର୍ତ୍ତନ ସମ୍ଭାବନା; ସଂଗଠନରେ ବି ହୋଇପାରେ ପରିବର୍ତ୍ତନ

Published By : Prameya-News7 Bureau | December 11, 2022 IST

ନୂଆଦିଲ୍ଲୀ: ଗୁଜରାଟ ଏବଂ ହିମାଚଳ ନିର୍ବାଚନ ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଚର୍ଚ୍ଚା ଏହା ମଧ୍ୟ ହେଉଛି ଯେ ବିଜେପିର ସାଂଗଠନିକ ସ୍ତରରେ ମଧ୍ୟ କିଛି ବଡ଼ ଧରଣର ଅଦଳବଦଳ ହୋଇପାରେ । ଦିଲ୍ଲୀ ବିଜେପି ଅଧ୍ୟକ୍ଷ ପଦରୁ ଆଦେଶ ଗୁପ୍ତାଙ୍କ ଇସ୍ତଫାକୁ ଏହା ସହ ଯୋଡି ଦେଖାଯାଉଛି । ଆସନ୍ତା ବର୍ଷ ହେବାକୁ ଥିବା କିଛି ରାଜ୍ୟର ବିଧାନସଭା ନିର୍ବାଚନକୁ ନଜରରେ ରଖି ଅନୁମାନ କରାଯାଉଛି ଯେ ରାଜନୈତିକ ସମୀକରଣ ଦୃଷ୍ଟିରୁ ଶୀଘ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ଏବଂ ବିସ୍ତାର ଦେଖିବାକୁ ମିଳିପାରେ ।

ମୋଦୀ ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବା ନେଇ ଦୀର୍ଘ ଦିନରୁ ଚର୍ଚ୍ଚା ଜାରି ରହିଛି । ସୂତ୍ର ଅନୁସାରେ ଆସନ୍ତା କିଛି ମାସ ଭିତରେ ଯଦି ସବୁ କିଛି ଯୋଜନାବଦ୍ଧ ପ୍ରକ୍ରିୟାରେ ଚାଲେ ତେବେ ଶୀଘ୍ର ମୋଦୀ କ୍ୟାବିନେଟରେ ପରିବର୍ତ୍ତନ ହେବ । ୨୦୨୧ ଜୁଲାଇରେ ହୋଇଥିବା ମନ୍ତ୍ରିମଣ୍ଡଳ ବିସ୍ତାର ପରେ ମୋଦୀ ସରକାରରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ତେବେ ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ଅନେକ ବଡ଼ ରାଜନୈତିକ ଘଟଣାକ୍ରମ ଘଟିସାରିଛି । ସୂତ୍ର ଅନୁସାରେ କେନ୍ଦ୍ର ସରକାର ଆଠଟି ବିନ୍ଦୁ ଆଧାରେ ମନ୍ତ୍ରିମଣ୍ଡଳର ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ପ୍ରସ୍ତୁତ କରି ତଥ୍ୟ ଦେବାକୁ କହିଛନ୍ତି । ଏଥିରେ ସରକାରୀ ଯୋଜନାକୁ ଗ୍ରାଉଣ୍ଡରେ କେଉଁ ପରି ଭାବରେ ପହଞ୍ଚାଯାଇଛି ତାହା ସାମିଲ ରହିଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.